ନୂଆଦିଲ୍ଲୀ: ବିଦେଶରେ ଛାଡ଼ପତ୍ର ନେଲେ ଭାରତରେ ଶେଷ ହୋଇଯିବନି ବିବାହ ସମ୍ପର୍କ। ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସ୍ପଷ୍ଟତା ଦେଇଛନ୍ତି ସୁପ୍ରିମକୋର୍ଟ। ଭାରତରେ ହୋଇଥିବା ବିବାହକୁ ବିଦେଶୀ କୋର୍ଟଙ୍କ ଛାଡ଼ପତ୍ର ଆଦେଶ ଆଧାରରେ ସିଧାସଳଖ ଭାବେ ଶେଷ କରାଯାଇପାରିବ ନାହିଁ। ଏଥିପାଇଁ ଭାରତୀୟ ଆଇନର ନିୟମ ଓ ସର୍ତ୍ତ ପୂରଣ କରିବାକୁ ପଡ଼ିବ।
ସୁପ୍ରିମକୋର୍ଟଙ୍କ ମତ ଅନୁଯାୟୀ, ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ଅନୁଯାୟୀ ଭାରତରେ ସମ୍ପନ୍ନ ହୋଇଥିବା ବିବାହକୁ ଏହି ଆଇନରେ ଉଲ୍ଲେଖ ଥିବା ବୈଧ କାରଣ ଆଧାରରେ ହିଁ ଛାଡ଼ପତ୍ର ଦିଆଯାଇପାରିବ। ବିଦେଶୀ କୋର୍ଟ ନିଜ ଦେଶର ଆଇନ ଅନୁଯାୟୀ ଛାଡ଼ପତ୍ର ଦେଲେ ମଧ୍ୟ ତାହା ଭାରତରେ ସ୍ୱତଃସିଦ୍ଧ ଭାବେ ମାନ୍ୟତା ପାଇବ ନାହିଁ।
ବିଶେଷକରି, ବ୍ରିଟେନ କିମ୍ବା ଅନ୍ୟ ବିଦେଶୀ କୋର୍ଟରେ 'Irretrievable Breakdown of Marriage' ଅର୍ଥାତ୍ ବିବାହ ସମ୍ପର୍କ ଆଉ ସୁଧାରି ହେବ ନାହିଁ ବୋଲି ଦର୍ଶାଇ ଛାଡ଼ପତ୍ର ନିଆଯାଇଥିଲେ ମଧ୍ୟ ତାହା ଭାରତରେ ସ୍ୱତଃସିଦ୍ଧ ଭାବେ ବୈଧ ହେବ ନାହିଁ। କାରଣ ହିନ୍ଦୁ ବିବାହ ଅଧିନିୟମରେ ଏହାକୁ ସାଧାରଣ ଛାଡ଼ପତ୍ରର ଏକ ସ୍ୱତନ୍ତ୍ର ଆଇନଗତ ଆଧାର ଭାବେ ସ୍ୱୀକୃତି ଦିଆଯାଇନାହିଁ।
ସେହିପରି, ଦେୱାନୀ କାର୍ଯ୍ୟବିଧି ସଂହିତା (CPC)ର ଧାରା ୧୩ ଅନୁଯାୟୀ ବିଦେଶୀ କୋର୍ଟଙ୍କ ରାୟ ଭାରତରେ ମାନ୍ୟତା ପାଇବା ପାଇଁ ନିର୍ଦ୍ଧାରିତ ଆଇନଗତ ସର୍ତ୍ତ ପୂରଣ କରିବା ଆବଶ୍ୟକ। ଏପରିକି ବିବାହ ପରେ ସ୍ୱାମୀ କିମ୍ବା ସ୍ତ୍ରୀ ବିଦେଶୀ ନାଗରିକତା ଗ୍ରହଣ କଲେ ମଧ୍ୟ ପୂର୍ବରୁ ଭାରତରେ ହୋଇଥିବା ବିବାହର ଆଇନଗତ ସ୍ଥିତି ଆପେଆପେ ବଦଳିଯିବ ନାହିଁ।
ତେଣୁ ବିଦେଶରେ ମିଳିଥିବା ଛାଡ଼ପତ୍ରକୁ ଭାରତରେ ମାନ୍ୟତା ଦେବା ପାଇଁ ଭାରତୀୟ ଆଇନର ନିୟମ ପାଳନ କରିବା ଜରୁରୀ। ଏହି ରାୟ ଭାରତୀୟ ବିବାହ ଆଇନ ଓ ବିଦେଶୀ ଛାଡ଼ପତ୍ରର ମାନ୍ୟତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବାର୍ତ୍ତା ଦେଇଛି।