ମୁମ୍ବାଇ: ମୁମ୍ବାଇ ଲୋକାଲ୍ ଟ୍ରେନରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି । ଚଳନ୍ତା ଟ୍ରେନ ଭିତରେ ମହିଳା ଯାତ୍ରୀଙ୍କ ସହିତ ହୋଇଛି ଅସଦାଚରଣ । ଆଉ ଏହାକୁ ବିରୋଧ କରିବାରୁ ଟ୍ରେନରୁ ଉକ୍ତ ଯୁବତୀଙ୍କୁ ଦୁର୍ବୃତ୍ତ ଧକ୍କା ଦେଇଛନ୍ତି । ଫଳରେ ସେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ମୁତାବକ, ଯୁବତୀ ଜଣକ ବୋରୀବଲୀ ରୁ ବିରାର ଅଭିମୁଖେ ଯିବାକୁ ଲୋକାଲ୍ ଟ୍ରେନରେ ଚଢ଼ିଥିଲେ । ଏହି ସମୟରେ ତାଙ୍କ ପାଖରେ ଥିବା ସହଯାତ୍ରୀ ଜଣକ ତାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ । ବାରମ୍ବାର ତାଙ୍କୁ ଛୁଉଁ ଥିଲେ । ଏଥିରେ ଯୁବତୀ ଜଣକ ରାଗିଯାଇ ନିଜ ଗୋଡ଼ରୁ ଚପଲ ବାହାର କରି ଫିଙ୍ଗି ଥିଲେ । ଏହା ପରେ ଦୁଇ ଜଣଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଓଲଟା ଗାଳି ଗୁଲଜ କରିବା ସହିତ ଯୁବତୀଙ୍କ ଉପରକୁ ନିଜ ଚପଲ ଫିଙ୍ଗି ଥିଲେ ।
ମୁଣ୍ଡରେ ଲାଗିଛି ୧୬ଟି ଷ୍ଟିଚ୍
ଏହାରି ମଧ୍ୟ ଅନ୍ୟ ଯାତ୍ରୀମାନେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ଯୁବତୀଙ୍କୁ ନାୟଗାଁ ନିକଟରେ ଷ୍ଟେସନରେ ଗାଡ଼ି ଅଟକିବାରୁ ବ୍ୟକ୍ତି ଜଣ ଯୁବତୀଙ୍କୁ ଧକ୍କା ଦେଇଥିଲେ । ଫଳରେ ଯୁବତୀ ଜଣକ ଟ୍ରାକରେ ପଡ଼ିଯାଇଥିଲେ । ପୁନର୍ବାର ଯୁବତୀ ଜଣକ ଚଢ଼ିବାକୁ ଚେଷ୍ଟା କରିବାରୁ ଟ୍ରେନ ଛାଡ଼ି ଦେଇଥିଲା ଏବଂ ତାଙ୍କ ହାତ ଟ୍ରେନ୍ ଚକା ତଳେ ଆସିଯାଇଥିଲା । ନିକଟରେ ଥିବା ଅନ୍ୟ ଯାତ୍ରୀ ଏବଂ ପୋଲିସ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏଥିରେ ଯୁବତୀଙ୍କ ବାମ ହାତ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯୁବତୀଙ୍କ ମୁଣ୍ଡରେ ୧୬ଟି ଷ୍ଟିଚ୍ ପଡ଼ିଛି ।
ସେପଟେ ଉକ୍ତ ଯାତ୍ରୀକୁ ଧରିବାକୁ ପୋଲିସ ଚଢ଼ଉ କରିଥିଲା । କିଛି ସମୟରେ ବ୍ୟକ୍ତି ଜଣକୁ ଗିରଫ କରାଯାଇଛି ।