ପ୍ରସିଦ୍ଧ କେଦାରନାଥ ଧାମର ଦ୍ବାର ବନ୍ଦ ହୋଇଛି । ଆଜି ସକାଳ ୮ଟା ୩୦ ମିନିଟ୍ରେ ପାରମ୍ପରିକ ରୀତିନୀତି ଅନୁସାରେ ମନ୍ଦିରର ଦ୍ବାର ବନ୍ଦ କରାଯାଇଛି । ତଥାପି ମଧ୍ୟ କେଦାରନାଥଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।
ଶୀତ ଋତୁ ଓ ପ୍ରବଳ ତୁଷାରପାତ ଯୋଗୁଁ ଆଜି ବିଧିବଦ୍ଧ ଭାବେ ବାବା କେଦାରନାଥ ମନ୍ଦିରର ଦ୍ୱାର ବା କପାଟ ଆଗାମୀ ୬ ମାସ ପାଇଁ ବନ୍ଦ ହୋଇଛି। ଭାଇଦୁଜ ଅବସରରେ ବୈଦିକ ରୀତିନୀତି ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମନ୍ଦିର କପାଟ ବନ୍ଦ କରାଯିବା ସହ ଚଳିତ ବର୍ଷର କେଦାରନାଥ ଯାତ୍ରା ସମାପ୍ତ ହୋଇଛି।
ଚଳିତ ବର୍ଷ ୨୨ ଏପ୍ରିଲରେ ମନ୍ଦିର ଖୋଲିଥିଲା ଏବଂ ପ୍ରାୟ ୨୦୩ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ୧୯.୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି।
ଆଜି ଭୋର ୪ଟାରୁ ସ୍ୱତନ୍ତ୍ର ପୂଜା ଓ ସମାଧି ପୂଜା ଆରମ୍ଭ ହୋଇଥିଲା। ପୂଜାର୍ଚ୍ଚନା ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ 'ହର ହର ମହାଦେବ' ଧ୍ୱନି ମଧ୍ୟରେ ମନ୍ଦିରର ମୁଖ୍ୟ ଦ୍ୱାରରେ ତାଲା ପକାଯାଇଥିଲା।
ମନ୍ଦିର ବନ୍ଦ ହେବା ପରେ ବାବା କେଦାରନାଥଙ୍କ ପଞ୍ଚମୁଖୀ ଚଳନ୍ତି ପ୍ରତିମା ଉତ୍ସବ ଡୋଲି ଉଖିମଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆଗାମୀ ୬ ମାସ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଉଖିମଠ ସ୍ଥିତ ଓଁକାରେଶ୍ୱର ମନ୍ଦିରରେ ବାବା କେଦାରନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ।ଶୀତ ଋତୁରେ ପ୍ରବଳ ତୁଷାରପାତ ଓ ଅତ୍ୟଧିକ ଥଣ୍ଡା ଯୋଗୁଁ କେଦାରନାଥ ମନ୍ଦିରର ମୁଖ୍ୟଦ୍ବାର ବନ୍ଦ କରାଯାଇଥାଏ । ଏହି ସମୟରେ ବାବା କେଦାରନାଥଙ୍କ ଚଳମାନ ମୂର୍ତ୍ତି ପାଲିଙ୍କିକୁ ଉଖିମଠକୁ ନିଆଯାଇଥାଏ । ସେଠାରେ ଥିବା ଓଁକାରେଶ୍ୱର ମନ୍ଦିରକୁ ବାବା କେଦାରଙ୍କ ଶୀତକାଳୀନ ନିବାସ ଭାବେ ମାନ୍ୟତା ମିଳିଛି । ଆଗାମୀ ୬ ମାସ ଯାଏଁ ଓଁକାରେଶ୍ୱର ମନ୍ଦିରରେ ବାବା କେଦାରଙ୍କ ପୂଜା ଓ ସମସ୍ତ ଧାର୍ମିକ ରୀତିନୀତି ସମ୍ପନ୍ନ ହେବ । ଶ୍ରଦ୍ଧାଳୁମାନେ ମଧ୍ୟ ଉଖୀମଠ ଯାଇ ବାବାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ ।
ଆସନ୍ତା ବର୍ଷ (୨୦୨୭) ଏପ୍ରିଲ କିମ୍ବା ମେ ମାସରେ ଅକ୍ଷୟ ତୃତୀୟା ପାଖାପାଖି ପୁଣି ଥରେ ମନ୍ଦିରର ଦ୍ୱାର ଖୋଲିବ। ମହାଶିବରାତ୍ରୀ ଦିନ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ଏହାର ସଠିକ୍ ତାରିଖ ଘୋଷଣା କରାଯିବ।