ନୂଆଦିଲ୍ଲୀ: ପୈତୃକ ସମ୍ପତ୍ତିକୁ ନେଇ ପରିବାର ମଧ୍ୟରେ ଅନେକ ସମୟରେ ବିବାଦ ଦେଖାଦେଇଥାଏ। ବିଶେଷକରି ବାପାଙ୍କ ନାମରେ ଥିବା ସମ୍ପତ୍ତିରେ ପୁଅଙ୍କର କେତେ ଅଧିକାର ରହିଛି, ତାହାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତଙ୍କ କହିବା ଅନୁସାରେ, ଜେଜେବାପାଙ୍କଠାରୁ ବାପାଙ୍କୁ ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ର ଧାରା ୮ ଅନୁଯାୟୀ ମିଳିଥିବା ସମ୍ପତ୍ତି ଉପରେ ପୁଅ କିମ୍ବା ନାତିଙ୍କର ଜନ୍ମଗତ ଅଧିକାର ରହିବ ନାହିଁ।
'ଜେ. ରାଜେଶ ବନାମ ଏମ୍. କୁମାରନ୍' ମାମଲାର ଶୁଣାଣି କରି ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହ ଓ ଜଷ୍ଟିସ୍ ସୁନୀତା ଅଗ୍ରୱାଲଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଜେଜେବାପାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି ଯଦି ଆଇନ ଅନୁସାରେ ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟନ ହୁଏ, ତେବେ ବାପାଙ୍କୁ ମିଳିଥିବା ଅଂଶ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଭାବେ ବିବେଚିତ ହେବ। ଏହାକୁ ମିଳିତ ହିନ୍ଦୁ ପରିବାରର ସମ୍ପତ୍ତି ବୋଲି ଧରାଯାଇପାରିବ ନାହିଁ।
ପୁଅଙ୍କ ବିନା ଅନୁମତିରେ ବିକ୍ରି କରିପାରିବେ ବାପା
ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଧାରା ୮ ଅନୁଯାୟୀ ଉତ୍ତରାଧିକାରରେ ମିଳିଥିବା ସମ୍ପତ୍ତି ଯଦି ବାପାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଭାବେ ଗଣାଯାଏ, ତେବେ ସେ ନିଜ ଇଚ୍ଛା ଅନୁସାରେ ଏହାକୁ ବିକ୍ରି, ଦାନ କିମ୍ବା ଅନ୍ୟ କାହାକୁ ହସ୍ତାନ୍ତର କରିପାରିବେ। ଏଥିପାଇଁ ପୁଅଙ୍କ ସହମତି ଆବଶ୍ୟକ ହେବ ନାହିଁ। ଏପରି ସ୍ଥିତିରେ ପୁଅ କେବଳ ବାପାଙ୍କ ପୁଅ ହୋଇଥିବା କାରଣରୁ ସମ୍ପତ୍ତିରେ ନିଜର ଜନ୍ମଗତ ଅଂଶ ଦାବି କରିପାରିବେ ନାହିଁ।
ସବୁ ପୈତୃକ ସମ୍ପତ୍ତି ପାଇଁ ନିୟମ ସମାନ ନୁହେଁ
ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟର ଅର୍ଥ ଏହା ନୁହେଁ ଯେ ପୁଅଙ୍କର କୌଣସି ପୈତୃକ ସମ୍ପତ୍ତିରେ ଅଧିକାର ନାହିଁ। ସମ୍ପତ୍ତିର ପ୍ରକୃତି ଓ ଏହା କିପରି ହସ୍ତାନ୍ତର ହୋଇଛି, ତାହା ଉପରେ ଅଧିକାର ନିର୍ଭର କରେ। ଧାରା ୮ ଅନୁଯାୟୀ ମିଳିଥିବା ସମ୍ପତ୍ତି ବାପାଙ୍କୁ ବ୍ୟକ୍ତିଗତ ଭାବେ ମିଳିଥିଲେ ପୁଅ ଜନ୍ମଗତ ଅଧିକାର ଦାବି କରିପାରିବେ ନାହିଁ। ଯଦି ସମ୍ପତ୍ତି ମିଳିତ ହିନ୍ଦୁ ପରିବାରର ସହଭାଗୀ ସମ୍ପତ୍ତି ଭାବେ ରହିଛି, ତେବେ ଆଇନ ଅନୁଯାୟୀ ପୁଅଙ୍କର ଜନ୍ମଗତ ଅଧିକାର ରହିପାରେ। ବାପାଙ୍କ ନିଜ ରୋଜଗାରରେ କିଣିଥିବା ସମ୍ପତ୍ତି ଏହା ତାଙ୍କ ସ୍ୱଅର୍ଜିତ ସମ୍ପତ୍ତି। ଜୀବିତ ଥିବା ସମୟରେ ଏହା ଉପରେ ପୁଅ ଜନ୍ମଗତ ଅଂଶ ଦାବି କରିପାରିବେ ନାହିଁ।
କେଉଁ ମାମଲାରେ ଆସିଲା ଏହି ରାୟ?
ଏହି ମାମଲାରେ ଜଣେ ସାନ ପୁଅ ନିଜ ବାପାଙ୍କ ଦ୍ୱାରା ଜମି ବିକ୍ରି କରାଯିବାକୁ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ୧୯୯୪ ମସିହାରେ ଏକ ବିଭାଜନ ମାମଲାରେ ସମ୍ମତି ଆଧାରିତ ଅଦାଲତୀ ଆଦେଶ ପରେ ବାପାଙ୍କୁ ଏହି ଜମି ମିଳିଥିଲା।
ପରେ ବାପା ଜମି ବିକ୍ରି କରିବାରୁ ପୁଅ ଏହାକୁ ବିରୋଧ କରିଥିଲେ ଏବଂ ନିଜର ଅଧା ଅଂଶ ଦାବି କରିଥିଲେ। ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଥିଲେ ଯେ, ବିଭାଜନ ପରେ ସମ୍ପତ୍ତିର ମିଳିତ ପରିବାର ସ୍ୱରୂପ ଶେଷ ହୋଇଯାଇଥିଲା। ତେଣୁ ଜମି ବିକ୍ରିକୁ ରୋକିବା କିମ୍ବା ଅଧା ଅଂଶ ଦାବି କରିବା ପାଇଁ ପୁଅଙ୍କର ଆଇନଗତ ଅଧିକାର ନାହିଁ। ଏହା ସହ ଅଦାଲତ ପୁଅଙ୍କ ଆବେଦନକୁ ଖାରଜ କରିଦେଇଥିଲେ।