ନୂଆଦିଲ୍ଲୀ: ଶୀତ ଆସିବା ସହିତ ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ସମସ୍ୟା ଚିନ୍ତା ବଢ଼ାଇଛି। ଦିଲ୍ଲୀ ସମେତ ଅନେକ ସହରରେ ଧୂଆଁ ଓ ଧୂଳିର ଆସ୍ତରଣ ଦେଖିବାକୁ ମିଳୁଛି। ଏହି ସମୟରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ସାଟେଲାଇଟ୍ ଚିତ୍ର ଜାରି କରିଛି। ଏହି ଚିତ୍ରରେ କେବଳ ଭାରତ ନୁହେଁ, ପଡ଼ୋଶୀ ପାକିସ୍ତାନର ଆକାଶରେ ମଧ୍ୟ ଧୂଆଁ ଓ ଧୁଆଁଳିଆ ପରିବେଶର ଚାଦର ଦେଖିବାକୁ ମିଳିଛି। ଏହା ଦୁଇ ଦେଶରେ ଶୀତଦିନରେ ବଢ଼ୁଥିବା ବାୟୁ ପ୍ରଦୂଷଣର ଗମ୍ଭୀରତାକୁ ଦର୍ଶାଉଛି।
ନାସାର ଏହି ଚିତ୍ରକୁ ମହାକାଶରୁ ଉଠାଯାଇଛି। ମଡରେଟ୍ ରିଜୋଲ୍ୟୁସନ୍ ଇମେଜିଂ ସ୍ପେକ୍ଟ୍ରୋରାଡିଓମିଟର (MODIS) ଏହାକୁ କଏଦ କରିଛି। ନାସାର ଫାୟାର ଇନଫର୍ମେସନ୍ ଫର୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ ଜରିଆରେ ଏହି ଚିତ୍ର ଉପଲବ୍ଧ କରାଯାଇଛି।
ପାକିସ୍ତାନରୁ ଉତ୍ତର ଭାରତ ଯାଏଁ ଧୂଆଁର ଆସ୍ତରଣ
ନାସାର ସାଟେଲାଇଟ୍ ଚିତ୍ରରେ ଇଣ୍ଡୋ-ଗାଙ୍ଗେଟିକ୍ ସମତଳ ଅଞ୍ଚଳରେ ଏକ ମୋଟା ଧୂସର ରଙ୍ଗର ଧୁଆଁଳିଆ ଆସ୍ତରଣ ଦେଖିବାକୁ ମିଳିଛି। ଏହା ପାକିସ୍ତାନରୁ ଆରମ୍ଭ ହୋଇ ଉତ୍ତର ଭାରତ ଦେଇ ପୂର୍ବ ଭାରତ ଆଡ଼କୁ ବ୍ୟାପିଥିବା ଚିତ୍ରରେ ସ୍ପଷ୍ଟ ହୋଇଛି।
ବିଶେଷକରି ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ମଗ୍ର ପ୍ରଭାବ ଅଧିକ ଦେଖାଯାଉଛି। ଅନ୍ୟପଟେ ଚିତ୍ରର ଉତ୍ତର ଭାଗରେ ଥିବା ହିମାଳୟ ପର୍ବତମାଳା ଅଞ୍ଚଳ ଅଲଗା ଭାବେ ଦୃଶ୍ୟମାନ ହେଉଛି। ବରଫ ଆଚ୍ଛାଦିତ ପର୍ବତ ଓ ପ୍ରଦୂଷଣରେ ଢାଙ୍କି ହୋଇଥିବା ସମତଳ ଅଞ୍ଚଳ ମଧ୍ୟରେ ଥିବା ପାର୍ଥକ୍ୟ ଏହି ଚିତ୍ରରେ ସ୍ପଷ୍ଟ ହୋଇଛି।
ପୋଡ଼ିବା ମଧ୍ୟ ପ୍ରଦୂଷଣର ଏକ କାରଣ
ସାଟେଲାଇଟ୍ ଚିତ୍ରରେ କେତେକ ସ୍ଥାନରେ ଲାଲ ରଙ୍ଗର ଚିହ୍ନ ମଧ୍ୟ ଦେଖାଯାଇଛି। ଏହି ଚିହ୍ନଗୁଡ଼ିକ ଫସଲ ଅବଶେଷ ବା ପରାଳି ପୋଡ଼ାଯାଉଥିବା ସ୍ଥାନକୁ ସୂଚାଉଛି। ବିଶେଷକରି ଉତ୍ତର-ପଶ୍ଚିମ ଭାରତର କୃଷି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ପରାଳି ପୋଡ଼ିବା ଯୋଗୁଁ ବାୟୁମଣ୍ଡଳକୁ ଧୂଆଁ ଓ କ୍ଷତିକାରକ କଣିକା ମିଶି ପ୍ରଦୂଷଣର ମାତ୍ରା ବଢ଼ାଇଥାଏ।
ଶୀତ ଆସିଲେ କାହିଁକି ବଢ଼େ ସ୍ମଗ୍ ?
ପ୍ରତିବର୍ଷ ଶୀତ ଋତୁରେ ଉତ୍ତର-ପଶ୍ଚିମ ଭାରତ ଓ ପଡ଼ୋଶୀ ପାକିସ୍ତାନରେ ବାୟୁର ଗୁଣବତ୍ତା ଖରାପ ହୋଇଥାଏ। ପରାଳି ପୋଡ଼ିବା ସହ ଯାନବାହନରୁ ବାହାରୁଥିବା ଧୂଆଁ, କଳକାରଖାନାରୁ ନିର୍ଗତ ପ୍ରଦୂଷଣ, ନିର୍ମାଣ କାର୍ଯ୍ୟର ଧୂଳି ଏବଂ ଅନ୍ୟାନ୍ୟ ଉତ୍ସ ଏହାର ମୁଖ୍ୟ କାରଣ। ଶୀତଦିନେ ପାଣିପାଗର ସ୍ଥିତି ଯୋଗୁଁ ପ୍ରଦୂଷକ କଣିକା ଭୂପୃଷ୍ଠ ନିକଟରେ ଅଧିକ ସମୟ ରହିଯାଏ। ଫଳରେ ଧୂଆଁ ଓ କୁହୁଡ଼ି ମିଶି ସ୍ମଗ୍ ସୃଷ୍ଟି କରେ।