ପାଟନା: ବିହାରର ସମ୍ରାଟ ଚୌଧୁରୀ ସରକାର କାର୍ଯ୍ୟରେ ଅବହେଳା କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଙ୍ଗଳବାର ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାରେ ଅବହେଳା କରିଥିବା ୧୫ ଜଣ ଅଧିକାରୀଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି । ଯେଉଁଥିରେ ରାଜସ୍ୱ, ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାର ଅଧିକାରୀମାନେ ସାମିଲ ଅଛନ୍ତି ।
ରାଜ୍ୟସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ସମୟରେ, ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ। କେତେକ ମାମଲାରେ ସମ୍ପୃକ୍ତ ଅଧିକାରୀମାନଙ୍କର ଅବହେଳା ଧରାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ୧୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ୱରୂପ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ତୁରନ୍ତ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ରାଜସ୍ୱ ଓ ଭୂ-ସଂସ୍କାର ବିଭାଗର ଅଟନ୍ତି । ଉକ୍ତ ବିଭାଗର ୯ ଜଣ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ବ୍ୟତୀତ ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ବିଭାଗର ୪ ଜଣ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ଅଧିକାରୀ ଏବଂ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।
ଏହା ସହିତ ମୁଖ୍ୟମନ୍ତ୍ରୀ ଚୌଧୁରୀ ସମସ୍ତ ଅଭିଯୋଗ ଆବେଦନର ତୁରନ୍ତ ସମାଧାନ କରିବାକୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।