ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୭ ପୂର୍ବରୁ ଖେଳାଳି ଅଦଳବଦଳ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ବଡ଼ ନିଷ୍ପତ୍ତି ନେଇଛି । ଅଲରାଉଣ୍ଡର୍ ଅକ୍ଷର ପଟେଲ ଓ ଆଶୁତୋଷ ଶର୍ମାଙ୍କୁ ଦଳରେ ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ଆଇପିଏଲ୍ ନିଲାମୀ ପ୍ରକ୍ରିୟାରେ ଏହି ଦୁଇ ଖେଳାଳିଙ୍କ ନାମ ସାମିଲ ହେବ ନାହିଁ ବୋଲି ଫ୍ରାଞ୍ଚାଇଜ୍ ସହିତ ଜଡ଼ିତ ଜଣେ ସଦସ୍ୟ ସ୍ପଷ୍ଟ କରିଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେଡିଂ ୱିଣ୍ଡୋକୁ ବନ୍ଦ ରଖିଛି । ଦଳରେ କୌଣସି ଟ୍ରେଡିଂ ହେବ ନାହିଁ । ଏହା ପୂର୍ବରୁ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେଡରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଋଷଭ ପନ୍ତଙ୍କ ସ୍ଥାନରେ କୁଲଦୀପ ଯାଦବ ଓ ସନରାଇଜର୍ସ ହାଇଦ୍ରାବାଦରୁ ଜୀଶାନ ଅନୁସାରୀଙ୍କ ବଦଳରେ ଟୀ ନଟରାଜନଙ୍କୁ ଦଳକୁ ଆଣିଥିଲା । ଏହା ପରେ ଅକ୍ଷର ପଟେଲ ଏବଂ ଆଶୁତୋଷ ଶର୍ମାଙ୍କ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଏଥିରେ ବର୍ତ୍ତମାନ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
ଆସନ୍ତା ୧୭ ନଭେମ୍ବର ମଧ୍ୟରେ ଆଇପିଏଲର ସମସ୍ତ ୧୦ଟି ଦଳ ନିଜର ଖେଳାଳୀଙ୍କୁ ରିଟେନ୍ କିମ୍ବା ରିଲିଜ୍ କରିବାର ତାଲିକା ଦାଖଲ କରିବେ । ସମୟ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ତାର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଏବେ ଅଧିନାୟକ ପଦ ଚୟନକୁ ନେଇ ଦ୍ୱନ୍ଦରେ ରହିଛି । ଗତ ସିଜନରେ, ଅକ୍ଷର ପଟେଲ ଦଳର ନେତୃତ୍ୱ ନେଇଥିଲେ। ତଥାପି, ଫ୍ରାଞ୍ଚାଇଜ୍ ଏପର୍ୟ୍ୟନ୍ତ ପରବର୍ତ୍ତୀ ସିଜନ ପାଇଁ ଅଧିନାୟକ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ସିଜିନ ପାଇଁ ଅକ୍ସରଙ୍କ ଉପରେ ନିର୍ଭର କରିବ ନା ନୂତନ ମୁହଁକୁ ଦାୟିତ୍ୱ ହସ୍ତାନ୍ତର କରିବ ତାହା ଦେଖିବାକୁ ବାକି ରହିଲା।