ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ୍ ମାନେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅଲଗା ଉତ୍ସାହ। ଉଭୟ ଦଳ ମଧ୍ୟରେ ରବିବାର ଖେଳାଯାଇଥିବା ୨୦୨୬ ଅଣ୍ଡର-୧୯ ଏସିଆ କପ୍ ମୁକାବିଲା ମଧ୍ୟ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଭରି ରହିଥିଲା। ତେବେ ଏହି ରୋମାଞ୍ଚକର ଲଢ଼େଇରେ ଭାରତକୁ ୩ ୱିକେଟ୍ରେ ପରାସ୍ତ କରି ବାଜି ମାରିନେଇଛି ପାକିସ୍ତାନ। ପାକିସ୍ତାନର ଏହି ବିଜୟର ମୁଖ୍ୟ ନାୟକ ସାଜିଛନ୍ତି ହମଜା ଜହୁର। ତାଙ୍କର ଅପରାଜିତ ଶତକ ଭାରତୀୟ ଦଳ ହାତରୁ ବିଜୟ ଛଡ଼ାଇ ନେଇଛି।
୨୦୯ ରନ୍ରେ ସୀମିତ ରହିଲା ଭାରତ
ମ୍ୟାଚ୍ରେ ଟସ୍ ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୪୬.୩ ଓଭରରେ ୨୦୯ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଅର୍ଜୁନ ରାଜପୁତ ଦମ୍ଦାର ବ୍ୟାଟିଂ କରି ୮୫ ବଲ୍ରୁ ୧୦୭ ରନ୍ର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଅନ୍ୟ ବ୍ୟାଟରମାନେ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ। ଫଳରେ ପାକିସ୍ତାନ ସାମ୍ନାରେ ୨୧୦ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା।
୨୧୦ ରନ୍ର ଲକ୍ଷ୍ୟ ପିଛା କରି ପାକିସ୍ତାନ ଇନିଂସ ଆରମ୍ଭରୁ ଭାରତୀୟ ବୋଲରଙ୍କ ଚାପରେ ରହିଥିଲା। ଭାରତୀୟ ବୋଲରମାନେ ଘାତକ ବୋଲିଂ କରି ପାକିସ୍ତାନର ଟପ୍ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ। ମାତ୍ର ୧୫ ଓଭର ମଧ୍ୟରେ ୬୧ ରନ୍ରେ ପାକିସ୍ତାନ ୫ଟି ୱିକେଟ୍ ହରାଇଥିଲା। ଉସମାନ ଖାନ୍ ୧୬, ଜାହାଙ୍ଗୀର ବିଲାଲ ୫, ଅବଦୁଲ କାଦିର ୨୦, ଅହମଦ ହୁସେନ ୮ ଏବଂ ଅଧିନାୟକ ଫରହାନ ୟୁସୁଫ ମାତ୍ର ୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଏହି ସମୟରେ ଭାରତର ବିଜୟ ପ୍ରାୟ ନିଶ୍ଚିତ ମନେ ହେଉଥିଲା।
ହମଜାଙ୍କ ଶତକ ବଦଳାଇଦେଲା ମ୍ୟାଚ୍ର ଚିତ୍ର
ପାକିସ୍ତାନର ସଙ୍କଟଜନକ ସ୍ଥିତିରେ ଦଳ ପାଇଁ ରକ୍ଷାକବଚ ସାଜିଥିଲେ ହମଜା ଜହୁର। ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଏହି ୱିକେଟ୍କିପର ବ୍ୟାଟର ଦମ୍ଦାର ପ୍ରଦର୍ଶନ କରିଥିଲେ। ହମଜା ୧୦୮ ବଲ୍ର ସାମ୍ନା କରି ୧୦୦ ରନ୍ କରି ଅପରାଜିତ ରହିଥିଲେ। ତାଙ୍କୁ ଭଲ ସହଯୋଗ ଦେଇଥିଲେ ହସନୈନ ଆବାସ ଡାର। ସେ ୬୭ ବଲ୍ରୁ ୩୮ ରନ୍ କରିଥିଲେ। ଉଭୟ ଷଷ୍ଠ ୱିକେଟ୍ ପାଇଁ ୧୦୭ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରି ପାକିସ୍ତାନକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ।
ହସନୈନ ଆଉଟ୍ ହେବା ପରେ ମଧ୍ୟ ହମଜା ଧୈର୍ଯ୍ୟ ହରାଇନଥିଲେ। ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ। ପାକିସ୍ତାନ ୪୮.୧ ଓଭରରେ ୭ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଏହିପରି ଭାବେ ୧୧ଟି ବଲ୍ ବାକି ଥାଇ ୩ ୱିକେଟ୍ରେ ମ୍ୟାଚ୍ ଜିତିନେଇଥିଲା ପାକିସ୍ତାନ।