କଟକ: ହକି ଇଣ୍ଡିଆର ନିର୍ବାଚନ ପ୍ରକ୍ରିୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ହକି ଇଣ୍ଡିଆର ନିର୍ବାଚନ ଉପରେ ଅଦାଲତ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଏହି ରୋକ୍ ବଳବତ୍ତର ରହିବ। ଏଥିସହ ହକି ଇଣ୍ଡିଆ ପକ୍ଷରୁ ହକି ଓଡ଼ିଶାକୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍ ଉପରେ ମଧ୍ୟ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି। ଆସନ୍ତା ଡିସେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନା ଅନୁସାରେ, ହକି ଇଣ୍ଡିଆର ନିର୍ବାଚନ ପ୍ରକ୍ରିୟାରୁ ଓଡ଼ିଶା ହକି ସଂଘକୁ ବାଦ୍ ଦେବା ପାଇଁ ହକି ଇଣ୍ଡିଆ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। କେବଳ ସେତିକି ନୁହେଁ, ହକି ଓଡ଼ିଶାର ସ୍ଥାୟୀ ସଦସ୍ୟତା ରଦ୍ଦ କରିବା ନେଇ ମଧ୍ୟ ନୋଟିସ୍ ଦିଆଯାଇଥିଲା। ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଶୁଣାଣି ସମୟରେ ଅଦାଲତ ଉଭୟ ନିର୍ବାଚନ ପ୍ରକ୍ରିୟା ଏବଂ କାରଣ ଦର୍ଶାଅ ନୋଟିସ୍ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି।
ଭାରତୀୟ ହକିର ବିକାଶରେ ଓଡ଼ିଶାର ଅବଦାନକୁ ନେଇ ମଧ୍ୟ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରାଯାଇଛି। ଓଡ଼ିଶା ମାଇନିଂ କର୍ପୋରେସନ୍ (OMC) ଭାରତରେ ହକିର ପ୍ରଚାର, ପ୍ରସାର ଓ ଉନ୍ନତି ପାଇଁ ହକି ଇଣ୍ଡିଆକୁ ୧୦୦ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ଦେଇଥିବା କୁହାଯାଇଛି। ଏହାବ୍ୟତୀତ ଦେଶକୁ ଅନେକ ପ୍ରତିଭାବାନ ହକି ଖେଳାଳି ଦେବାରେ ମଧ୍ୟ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଅନ୍ୟପକ୍ଷରେ, ଭାରତ ସରକାରଙ୍କ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆଇନର ବ୍ୟବସ୍ଥା ଆଧାରରେ ଓଡ଼ିଶା ହକି ସଂଘକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବା ଆଇନସମ୍ମତ ନୁହେଁ ବୋଲି ଆଡଭୋକେଟ୍ ଜେନେରାଲ ଯୁକ୍ତି ରଖିଥିଲେ। ଓଡ଼ିଶାର ହକି ପ୍ରତି ଅବଦାନ ଏବଂ ଆଇନଗତ ଅଧିକାରକୁ ଆଧାର କରି ଏହି ଯୁକ୍ତି ଉପସ୍ଥାପନ କରାଯାଇଥିଲା।