ନୂଆଦିଲ୍ଲୀ: କୋଟି କୋଟି ଫୁଟବଲ ପ୍ରେମୀଙ୍କ ପାଇଁ ଆସିଛି ନୈରାଶ୍ୟଜନକ ଖବର । ପଡ଼ିଆରେ ଆଉ ଦେଖିବାକୁ ମିଳିବନି ଦିଗ୍ଗଜ ଫୁଟବଲ୍ ଖେଳାଳୀ କ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ପାଦର ଯାଦୁ । ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେଇଛନ୍ତି ପର୍ତ୍ତୁଗାଲ ଫୁଟବୋଲର୍ କ୍ରୀଷ୍ଟିଆନୋ ରୋନାଲ୍ଡୋ । ଗୁରୁବାର ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ରୋନାଲ୍ଡୋ ପ୍ରଶଂସକଙ୍କୁ ତାଙ୍କର ଅବସର ନେଇ ସୂଚନା ଦେଇଛନ୍ତି । ରୋନାଲ୍ଡୋ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଅବସର ଘୋଷଣା କରିଛନ୍ତି।
୨୩ ବର୍ଷର ଫୁଟବଲ୍ ଜୀବନ
୪୧ ବର୍ଷୀୟ ରୋନାଲ୍ଡୋ ଦୀର୍ଘ ଦୁଇ ଦଶନ୍ଧିର ଫୁଟବଲ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ରୋନାଲ୍ଡୋ ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ୨୩ ବର୍ଷର ଖେଳ ଜୀବନରେ ସେ ପର୍ତ୍ତୁଗାଲ ପାଇଁ ଅନେକ ସଫଳତା ଭେଟି ଦେଇଛନ୍ତି । ସେ ନିଜ ଦେଶ ପାଇଁ ପାଞ୍ଚଟି ବିଶ୍ୱକପ୍ ଖେଳିଥିଲେ ଏବଂ ୟୁରୋପୀୟ ଚାମ୍ପିୟନସିପ୍ରେ ଛଅ ଥର ନିଜ ଦଳକୁ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ତାଙ୍କ ଦେଶକୁ ବିଶ୍ୱ କପ୍ ଦେବାରେ ସେ ବିଫଳ ରହିଛନ୍ତି ।
ସେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ପୂର୍ବରୁ ହିଁ ସ୍ପଷ୍ଟ କରିଦେଇଥିଲେ ଯେ ଏହା ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ୨୦୨୬ ଫିଫା ବିଶ୍ୱକପ୍ରେ ୱେଲ୍ସ ବିପକ୍ଷ ମ୍ୟାଚ୍ଟି ଥିଲା ରୋନାଲ୍ଡୋଙ୍କ ଶେଷ ମ୍ୟାଚ୍। ଏହି ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।
ନିକଟରେ ରୋନାଲ୍ଡୋ ବିବାଦରେ ରହିଥିଲେ । ଜାତୀୟ ଦଳର ପ୍ରଶିକ୍ଷଣ ଶିବିର ଛାଡ଼ି ଚାଲିଯାଇଥିବା ନେଇ ଅଭିଯୋଗ ଆସିବା ପରେ, ପର୍ତ୍ତୁଗାଲ୍ ଫୁଟବଲ୍ ଫେଡେରେସନ୍ ତାଙ୍କ ଉପରେ ୩୦ ଦିନର ପ୍ରତିବନ୍ଧକ ଲଗାଇଥିଲା।
୨୩୪ ମ୍ୟାଚ ଓ ୧୪୬ଟି ଗୋଲ୍
୨୦ ଅଗଷ୍ଟ, ୨୦୦୩ ମସିହାରେ ରୋନାଲ୍ଡୋ କାଜାଖସ୍ତାନ ବିପକ୍ଷରେ ନିଜର ଅନ୍ତର୍ଜାତୀୟ ଫୁଟବଲ୍ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ସେ ଏହି କ୍ରୀଡ଼ା ଜଗତରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ସହ ଅନ୍ୟତମ ଶ୍ରେଷ୍ଠ ଫୁଟବଲ୍ ଖେଳାଳି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ୨୦୦୪ରେ ଗ୍ରୀସ୍ ବିପକ୍ଷରେ ସେ ନିଜର ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ଦେଇଥିଲେ । ରୋନାଲ୍ଡୋ ପର୍ତ୍ତୁଗାଲ ପାଇଁ ମୋଟ ୨୩୪ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ୧୪୬ଟି ଗୋଲ୍ ସାମିଲ ରହିଛି ।
୧୦ଟି ହାଟ୍ରିକ୍
ସେ ବିଶ୍ୱ ସ୍ତରରେ ୧୦ଟି ହାଟ୍ରିକ୍ ହାସଲ କରିଛନ୍ତି । ଏହା ସହିତ ଦୁଇଟି ମ୍ୟାଚରେ ସେ ଲଗାତର ୪ଟି ଲେଖାଏଁ ଗୋଲ୍ କରିଥିଲେ । ସେହିପରି ୫ଟି ବିଶ୍ୱ କପରେ ମୋଟ ୧୧ଟି ଗୋଲ୍ କରିଛନ୍ତି । ଯାହା ସେ ୨୦୦୬, ୨୦୧୦, ୨୦୧୪, ୨୦୧୮, ୨୦୨୨ ଏବଂ ୨୦୨୬ ବିଶ୍ୱ କପରେ ଖେଳିଛନ୍ତି ।