ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସୁଛି ଏକ ବଡ଼ ମୁକାବିଲା। ନଭେମ୍ବର ୨୨ ତାରିଖରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC) ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ ସମସ୍ତଙ୍କ ନଜର।
ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ (BCCI) ୧୫ ଜଣିଆ ଇଣ୍ଡିଆ-ଏ ଦଳ ଘୋଷଣା କରିଛି। ଦଳର ନେତୃତ୍ୱ ଭାର ତିଳକ ବର୍ମାଙ୍କୁ ଦିଆଯାଇଥିବା ବେଳେ ରଜତ ପାଟିଦାର ଉପଅଧିନାୟକ ହୋଇଛନ୍ତି। ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ ଓ ରିଙ୍କୁ ସିଂଙ୍କ ଭଳି ଖେଳାଳି ଦଳରେ ସ୍ଥାନ ପାଇଛନ୍ତି।
ଦୋହାରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ
କତାରର ଦୋହାରେ ନଭେମ୍ବର ୧୯ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଇଜିଂ ଷ୍ଟାର୍ସ ଏସିଆ କପ୍ ଅନୁଷ୍ଠିତ ହେବ। ଭାରତ-ଏ ଦଳ ନଭେମ୍ବର ୨୦ ତାରିଖରେ ନେପାଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏହାପରେ ନଭେମ୍ବର ୨୨ରେ ପାକିସ୍ତାନ-ଏ ସହ ମୁକାବିଲା କରିବ ଭାରତ। ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ନଭେମ୍ବର ୨୪ରେ ୟୁଏଇ ବିପକ୍ଷରେ ଖେଳିବ ଦଳ।
ବୈଭବଙ୍କ ଉପରେ ରହିବ ନଜର
ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ନିଜ ଦକ୍ଷତା ପ୍ରମାଣ କରିବାର ଏକ ବଡ଼ ମଞ୍ଚ ହେବ। ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ନେଇ ତାଙ୍କ ଉପରେ ବିଶେଷ ନଜର ରହିବ। ପୂର୍ବରୁ ଏସିଆନ୍ ଗେମ୍ସ ଫାଇନାଲରେ ପାକିସ୍ତାନ ବିପକ୍ଷରେ ସେ ୯ଟି ବଲ୍ରୁ ୧୫ ରନ୍ କରିଥିଲେ। ସେହି ମ୍ୟାଚ୍ରେ ସାମ ଆୟୁବ ତାଙ୍କୁ ଆଉଟ୍ କରିବା ପରେ କରିଥିବା ଆଚରଣକୁ ନେଇ ବିବାଦ ହୋଇଥିଲା। ତେବେ ଭାରତ ସେହି ଫାଇନାଲ ଜିତିଥିଲା। ଏବେ ପାକିସ୍ତାନ ବିପକ୍ଷ ଆଗାମୀ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବା ସହ ବ୍ୟାଟ୍ରେ ଜବାବ ଦେବାକୁ ବୈଭବଙ୍କ ପାଖରେ ସୁଯୋଗ ରହିଛି।
ଅଭିଷେକଙ୍କ ସହ ଓପନିଂ କରିପାରନ୍ତି ବୈଭବ
ଇଣ୍ଡିଆ-ଏ ଦଳରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଦୁଇ ଜଣ ଆକ୍ରମଣାତ୍ମକ ବ୍ୟାଟର ରହିଛନ୍ତି। ଉଭୟ ଓପନିଂ କରିବାର ସମ୍ଭାବନା ରହିଛି। ପ୍ରଭସିମରନ ସିଂ ଓ କୁମାର କୁଶାଗ୍ରାଙ୍କୁ ମଧ୍ୟ ୱିକେଟ୍ କିପର ଭାବେ ଦଳରେ ସାମିଲ କରାଯାଇଛି।
ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତୀୟ ଏ ଟିମ୍
ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂ(ଓ୍ଵିକେଟ୍ କିପର), ତିଳକ ବର୍ମା(ଅଧିନାୟକ), ରଜତ ପାଟିଦାର(ଉପଅଧିନାୟିକ), ରିଙ୍କୁ ସିଂ, କୁମାର କୁଶାଗ୍ର(ଓ୍ଵିକେଟ୍ କିପର), ସୂର୍ଯ୍ୟାଂଶ ଶେଡ଼ଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିୟାନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ ଓ ଅର୍ଶଦ ଖାନ।