ନୂଆଦିଲ୍ଲୀ: ୨୦୨୮ ଟି-୨୦ ବିଶ୍ୱକପ୍କୁ ନେଇ ଆସିଛି ଏକ ବଡ଼ ଖବର। ନ୍ୟୁଜ୍-୯ର ଏକ ରିପୋର୍ଟ ଅନୁଯାୟୀ, ୨୦୨୮ରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ର ମହାମୁକାବିଲା ଅର୍ଥାତ୍ ଫାଇନାଲ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (MCG)ରେ ଖେଳାଯିବ। ପୂର୍ବରୁ ଆଡିଲେଡ୍ ଓ ମେଲବୋର୍ଣ୍ଣ ମଧ୍ୟରେ ଫାଇନାଲ ମ୍ୟାଚ୍କୁ ନେଇ କଡ଼ା ପ୍ରତିଯୋଗିତା ଚାଲିଥିବା ବେଳେ, ଶେଷରେ ଏମସିଜି ବାଜି ମାରିନେଇଛି। ତେବେ ଆଡିଲେଡ୍ ଓଭାଲ୍କୁ କୌଣସି ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚ୍ର ଆୟୋଜନଭାର ମିଳିନଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ୨୦୨୨ ଟି-୨୦ ବିଶ୍ୱକପ୍ ଫାଇନାଲ ମଧ୍ୟ ଏହି ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ହିଁ ଖେଳାଯାଇଥିଲା। ଦୀର୍ଘ ୬ ବର୍ଷ ପରେ ପୁଣିଥରେ ଏମସିଜି ଫାଇନାଲ ମ୍ୟାଚ୍ର ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି।
ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଖେଳାଯିବ ଦୁଇଟି ସେମିଫାଇନାଲ
୨୦୨୮ ଟି-୨୦ ବିଶ୍ୱକପ୍ର ମିଳିତ ଆୟୋଜନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ କରୁଛନ୍ତି। ରିପୋର୍ଟ ମୁତାବକ, ଗୋଟିଏ ସେମିଫାଇନାଲ ମ୍ୟାଚ୍ ନ୍ୟୁଜିଲାଣ୍ଡରେ ଏବଂ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଅଷ୍ଟ୍ରେଲିଆରେ ଖେଳାଯିବ। ଅଷ୍ଟ୍ରେଲିଆରେ ହେବାକୁ ଥିବା ସେମିଫାଇନାଲ ମ୍ୟାଚ୍ ପାଇଁ ପର୍ଥ ସବୁଠାରୁ ଆଗରେ ରହିଛି।
ପର୍ଥର ଟାଇମ୍ ଜୋନ୍ ଅଷ୍ଟ୍ରେଲିଆର ଅନ୍ୟ ଅଞ୍ଚଳ ତୁଳନାରେ ଅଲଗା। ଭାରତୀୟ ସମୟାନୁସାରେ ପର୍ଥର ସମୟ ଭାରତୀୟ ଦର୍ଶକଙ୍କ ପାଇଁ ଅଧିକ ଅନୁକୂଳ ସାବ୍ୟସ୍ତ ହୋଇଥାଏ। ଭାରତରେ କ୍ରିକେଟ୍ ଦର୍ଶକଙ୍କ ସଂଖ୍ୟା ଅଧିକ ଥିବାରୁ ବ୍ରଡକାଷ୍ଟିଂ ଦୃଷ୍ଟିରୁ ପର୍ଥକୁ ସେମିଫାଇନାଲ ମେଜବାନୀ ମିଳିବାର ସମ୍ଭାବନା ସବୁଠାରୁ ଅଧିକ।
ଅକ୍ଟୋବର ୧୨ରୁ ଆରମ୍ଭ ହେବ ବିଶ୍ୱକପ୍
୨୦୨୮ରେ ଟି-୨୦ ବିଶ୍ୱକପ୍ର ୧୧ଶ ସଂସ୍କରଣ ଖେଳାଯିବ। ଏହି ଟୁର୍ନାମେଣ୍ଟ ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ନଭେମ୍ବର ୧୨ରେ ଫାଇନାଲ ମ୍ୟାଚ୍ ସହ ଶେଷ ହେବ। ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ, ଅଷ୍ଟ୍ରେଲିଆ ପୂର୍ବରୁ ୨୦୨୨ରେ ଏହାର ସଫଳ ଆୟୋଜନ କରିସାରିଛି।
ଫର୍ମାଟ୍ରେ ହୋଇଛି ବଡ଼ ପରିବର୍ତ୍ତନ
ଚଳିତ ବର୍ଷ ଜୁଲାଇ ମାସରେ ଆଇସିସି ୨୦୨୮ ଟି-୨୦ ବିଶ୍ୱକପ୍ ଫର୍ମାଟ୍ରେ ପରିବର୍ତ୍ତନ ନେଇ ଘୋଷଣା କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ, ଯାହାଙ୍କୁ ୫ଟି ଲେଖାଏଁ ଦଳର ୪ଟି ଗ୍ରୁପ୍ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍ର ଶୀର୍ଷ-୨ ଦଳ 'ସୁପର-୧୦' ପର୍ଯ୍ୟାୟକୁ ଯିବେ।
ଏଥର ନକଆଉଟ୍ ପର୍ଯ୍ୟାୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସୁପର-୧୦ର ଦୁଇଟି ଗ୍ରୁପ୍ରୁ ଶୀର୍ଷ ୩ଟି ଲେଖାଏଁ ଦଳ (ମୋଟ ୬ଟି ଦଳ) ନକଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିବେ। ପ୍ରତ୍ୟେକ ଗ୍ରୁପ୍ର ନମ୍ବର-୧ ଦଳ ସିଧାସଳଖ ସେମିଫାଇନାଲରେ ପହଞ୍ଚିବେ, ଯେଉଁଥିରେ ଅନ୍ୟ ଦଳଗୁଡ଼ିକୁ ଏଲିମିନେଟର ମ୍ୟାଚ୍ ଖେଳିବାକୁ ପଡ଼ିବ।