ନୂଆଦିଲ୍ଲୀ: ଏସୀୟ ପାରା କ୍ରୀଡ଼ାରେ ତିନି ତିନି ଥର ସ୍ୱର୍ଣ୍ଣ ଜିତି ରେକର୍ଡ ସୃଷ୍ଟି କରିଥିବା ପ୍ରଖ୍ୟାତ ଭାରତୀୟ ଖେଳାଳୀ ନୀରଜ ଯାଦବଙ୍କ ନିଧନ ହୋଇଯାଇଛି । ସେ ୪୨ ବର୍ଷରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ବୁଧବାର ଦିଲ୍ଲୀର ଏକ ସରକାରୀ ଡାକ୍ତରଖାନାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । ଭାରତୀୟ ପାରା ଆଥଲେଟିକ୍ସ ଦଳ ମୁଖ୍ୟ ପ୍ରଶିକ୍ଷକ ଏସ୍ ସତ୍ୟନାରାୟଣ ନୀରଜ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।
ଏସ୍ ସତ୍ୟନାରାୟଣଙ୍କ ସୂଚନା ଅନୁସାରେ, ନୀରଜ ଯାଦବ ଆତ୍ମହତ୍ୟା କରିଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଅଟେ । ନୀରଜ ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ତାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ଫଳରେ ଚଳିତ ବର୍ଷ ଜାପାନରେ ଅନୁଷ୍ଠିତ ଏସୀୟ ପାରା କ୍ରୀଡ଼ାରେ ଅଂଶ ଗ୍ରହଣ କରିପାରିନଥିଲେ । ଯାହାକୁ ନେଇ ସେ ଅତ୍ୟନ୍ତ ମାନସିକ ଅବସାଦରେ ରହିଥିଲେ । ତଥାପି ଏହା ଆତ୍ମହତ୍ୟା ନା ତାଙ୍କର ମୃତ୍ୟୁର କାରଣ ଆଉ କିଛି ତାହା ସ୍ପଷ୍ଟ କରାଯାଇନାହିଁ ।
୩ ଥର ଜିତି ଥିଲେ ସ୍ୱର୍ଣ୍ଣ
ନୀରଜଙ୍କ ନାମ ଜଣେ ସଫଳ ପାରା ଆଥଲେଟ୍ ଜଡ଼ିତ । ସେ ଏସୀୟ ପାରା କ୍ରୀଡ଼ାରେ ମୋଟ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବହୁ କ୍ରୀଡ଼ା ପ୍ରତିଭାର ଅଧିକାରୀ ଥିଲେ । ୨୦୧୮ରେ ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ୨୦୨୩ରେ ହାଙ୍ଗଝୌଉରେ ଜାଭଲିନ୍ ଏବଂ ଡିସକସ୍ ଥ୍ରୋରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ।
ନୀରଜ ସାତ ବର୍ଷ ବୟସରୁ ପୋଲିଓ ରୋଗରେ ପୀଡ଼ିତ ଥିଲେ । ସେ ପ୍ରଥମେ ହ୍ୱିଲଚେୟାରରୁ ଟେନିସ୍ ଖେଳିବା ଆରମ୍ଭ କରିଥିଲେ । ଏଥିରେ ମଧ୍ୟ ସେ ଅନ୍ତର୍ଜାତୀୟ ସ୍ତର ଯାଏ ମ୍ୟାଚ୍ ଖେଳିଛନ୍ତି । ଏହା ପରେ ଏଫ୍୫୫ କାଟାଗୋରିରେ ଡିସକସ୍, ଶଟପୁଟ ଏବଂ ଜାଭିଲିନ୍ ମଧ୍ୟ ଖେଳୁଥିଲେ ।