ୱେଲିଂଟନ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଦଳ ଏକ ଐତିହାସିକ ଏବଂ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୩-୦ରେ ନିଜ ନାମରେ କରି ସିରିଜ୍ ଜିତି ନେଇଛି। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ୱିକେଟ୍ ହରାଇ ୧୯୮ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୩.୨ ଓଭରରେ ୩ ଓ୍ୱିକେଟ୍ ହରାଇ ୧୯୯ ରନ୍ର ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଛି। ଭାରତ ପକ୍ଷରୁ ଓପନର୍ ଅଭିଷେକ ଶର୍ମା ମାତ୍ର ୩୮ ବଲ୍ରୁ ୧୧୩ ରନ୍ର ଏକ ବିସ୍ଫୋରକ ଶତକୀୟ ପାଳି ଖେଳିଥିବାବେଳେ ମାତ୍ର ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବଲ୍ରୁ ୪୫ ରନ୍ର ଧୂଆଁଧାର ପାଳି ଖେଳି ଦଳର ବିଜୟକୁ ସହଜ କରି ଦେଇଥିଲେ।
ପ୍ରଥମ ଓଭରରୁ ବୋଲରଙ୍କ ଉପରେ ଆକ୍ରମଣ
୧୯୯ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରିବା ପାଇଁ ଭାରତୀୟ ଟିମ୍ ନିଜର ଓପନିଂ ଯୋଡ଼ିରେ ପରିବର୍ତ୍ତନ କରିଥିଲା। ଏଥର ଅଭିଷେକ ଶର୍ମାଙ୍କ ସହିତ ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ପାଳି ଆରମ୍ଭ କରିବାକୁ ମୈଦାନକୁ ଓହ୍ଲାଇଥିଲେ। ପ୍ରଥମ ଓଭରରୁ ହିଁ ଉଭୟ ବ୍ୟାଟ୍ସମ୍ୟାନ୍ ନ୍ୟୁଜିଲାଣ୍ଡ ବୋଲରଙ୍କୁ ଧୂଳି ଚଟାଇଥିଲେ। ମ୍ୟାଚ୍ର ପ୍ରଥମ ଓଭରରୁ ହିଁ ମୋଟ୍ ୨୬ ରନ୍ ସଂଗ୍ରହ କରାଯାଇଥିଲା। ପୂର୍ଣ୍ଣ ସଦସ୍ୟତା ପ୍ରାପ୍ତ ଦେଶଗୁଡ଼ିକ ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ରେ ପ୍ରଥମ ଓଭରରେ ଏତେ ଅଧିକ ରନ୍ ସ୍କୋର ହେବାର ଏହା ପ୍ରଥମ ଘଟଣା ଅଟେ।
ପାୱାରପ୍ଲେ’ରେ ଅଭିଷେକଙ୍କ ଝଡ଼
ପାୱାରପ୍ଲେ’ ଓଭରଗୁଡ଼ିକରେ ଅଭିଷେକ ଶର୍ମା କିୱି ବୋଲିଂ ଆଟାକ୍କୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଥିଲେ। ବୈଭବ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଅଭିଷେକ ମାତ୍ର ୧୪ ବଲ୍ରୁ ନିଜର ଅର୍ଦ୍ଧଶତକ ପୂର୍ଣ କରିଥିବାବେଳେ ଭାରତୀୟ ଦଳ ପ୍ରଥମ ୬ ଓଭର ଅର୍ଥାତ୍ ପାୱାରପ୍ଲେ’ ମଧ୍ୟରେ କୌଣସି ଓ୍ୱିକେଟ୍ ନ ହରାଇ ବିଶାଳ ୧୧୮ ରନ୍ ସଂଗ୍ରହ କରିଥିଲା। ପୁରୁଷ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପାୱାରପ୍ଲେ’ରେ ଏହା ସବୁଠାରୁ ବଡ଼ ସ୍କୋର ଅଟେ।
ମାତ୍ର ୩୫ ବଲ୍ରେ ଶତକ, ରେକର୍ଡର ବର୍ଷା
ଅଭିଷେକ ଏବଂ ବୈଭବ ମାତ୍ର ୭.୧ ଓଭରରେ ୧୩୩ ରନ୍ର ଏକ ଦମଦାର ଓପନିଂ ଭାଗିଦାରୀ ଗଢ଼ି ଭାରତର ବିଜୟକୁ ପ୍ରାୟତଃ ନିଶ୍ଚିତ କରିସାରିଥିଲେ। ବୈଭବ ୧୯ ବଲ୍ରୁ ୪ ଚୌକା ଏବଂ ୪ଟି ଛକା ସହାୟତାରେ ୪୫ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଅଭିଷେକ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ମାତ୍ର ୩୫ ବଲ୍ରେ ଚମତ୍କାର ଶତକ ଅର୍ଜନ କରିଥିଲେ।
ଅଭିଷେକ ଶର୍ମା ମୋଟ ୩୮ ବଲ୍ ଖେଳି ୧୧୩ ରନ୍ କରି ପାଭିଲିୟନକୁ ଫେରିଥିଲେ। ଏହି ଧୂଆଁଧାର ପାଳିରେ ସେ ୯ଟି ଚୌକା ଏବଂ ୧୧ଟି ବିଶାଳ ଛକା ମାରିଥିଲେ। ୧୦ମ ଓଭରର ଶେଷ ବଲ୍ରେ ଯେତେବେଳେ ଅଭିଷେକ ଆଉଟ୍ ହେଲେ, ସେତେବେଳେ ଦଳର ସ୍କୋର ୧୭୮ ରନ୍ ପହଞ୍ଚିସାରିଥିଲା। ଅର୍ଥାତ୍ ଅଭିଷେକ ଏକାକୀ ହିଁ ଭାରତର ବିଜୟ ଉପରେ ମୋହର ମାରିସାରିଥିଲେ।
ଅଭିଷେକଙ୍କ ଆଉଟ୍ ହେବା ପରେ ଅଧିନାୟକ ଶ୍ରେୟସ ଆୟର ୧୦ ବଲ୍ରୁ ୫ ରନ୍ ଏବଂ ସଞ୍ଜୁ ସାମସନ ୧୩ ବଲ୍ରୁ ୨ଟି ଚୌକା ବଳରେ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ତିଲକ ବର୍ମା (୧ ବଲ୍ରୁ ୧ ରନ୍) ଏବଂ ନମନ ଧୀର (୧ ବଲ୍ରୁ ୪ ରନ୍) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ।
ନ୍ୟୁଜିଲାଣ୍ଡର ପ୍ରାୟ ସମସ୍ତ ବୋଲରଙ୍କୁ ଏହି ମ୍ୟାଚ୍ରେ ଭୂତେଇ ମାଡ଼ ହୋଇଥିଲା। ଜ୍ୟାକବ ଡଫି ୨ ଓଭରରେ ୪୪ ରନ୍, ଆଡାମ ମିଲ୍ନେ ୨ ଓଭରରେ ୩୩ ରନ୍ ଏବଂ ମାଇକେଲ ବ୍ରେସୱେଲ ୨ ଓଭରରେ ୩୬ ରନ୍ ବ୍ୟୟ କରିଥିଲେ। ମ୍ୟାଥୁ ଫିସର ଗୋଟିଏ ଓଭରରେ ୨୩ ରନ୍ ଦେଇଥିବାବେଳେ କାଇଲ ଜେମିସନ୍ ୩.୨ ଓଭରରେ ୪୫ ରନ୍ ଦେଇ ୨ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ।