ନୂଆଦିଲ୍ଲୀ: ଭାରତୀୟ ଟି୨୦ ଦଳକୁ ମିଳିଯାଇଛନ୍ତି ଜଣେ ନୂଆ ତଥା ଶକ୍ତିଶାଳୀ 'ଫିନିସର୍', ଯିଏ ଅନ୍ତିମ ଓଭରଗୁଡ଼ିକରେ ଏକାକୀ ମ୍ୟାଚ୍ର ମୋଡ଼ ବଦଳାଇବାରେ ସିଦ୍ଧହସ୍ତ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି୨୦ ଶ୍ରୃଙ୍ଖଳାରେ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ଯୁବ ଅଲରାଉଣ୍ଡର ନମନ ଧୀର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କଠିନ ସ୍ଥିତିରେ ମଇଦାନକୁ ଓହ୍ଲାଇ ଭାରତକୁ ବିଜୟୀ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ତାଙ୍କର ଏହି ଭୁଫାନୀ ପ୍ରଦର୍ଶନ ଯୋଗୁଁ ଏବେ ଟିମ୍ ଇଣ୍ଡିଆର ତିନିଜଣ ଷ୍ଟାର୍ ଖେଳାଳି ରିଙ୍କୁ ସିଂହ, ୱାଶିଂଟନ୍ ସୁନ୍ଦର ଏବଂ ଶିବମ୍ ଦୁବେଙ୍କ ଲାଗି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ବଜାୟ ରଖିବା କଷ୍ଟକର ହୋଇପଡ଼ିଛି।
ଅକ୍ଟୋବର ୨୨ରେ କ୍ରାଇଷ୍ଟଚର୍ଚ୍ଚଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତ ଆଗରେ ୨୨୬ ରନ୍ର ବିଶାଳ ଲକ୍ଷ୍ୟ ଥିଲା। ଟିମ୍ ଇଣ୍ଡିଆ ଚାପରେ ଥିବା ବେଳେ ନମନ ଧୀର ମାତ୍ର ୧୫ଟି ବଲ୍ରୁ ଅପରାଜିତ ୪୨ ରନ୍ (୫ଟି ଚୌକା ଓ ୨ଟି ଛକା) ସଂଗ୍ରହ କରି ମ୍ୟାଚ୍ର ନକ୍ସା ବଦଳାଇ ଦେଇଥିଲେ। ଭାରତ ୧୯.୪ ଓଭରରେ ୬ ୱିକେଟ୍ ହରାଇ ୨୩୦ ରନ୍ କରି ୪ ୱିକେଟ୍ରେ ଏକ ସ୍ମରଣୀୟ ବିଜୟ ହାସଲ କରିଥିଲା।
ସେହିପରି ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ମଧ୍ୟ ନମନଙ୍କ ବ୍ୟାଟ୍ରୁ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ୧୭ ବଲ୍ରେ ୩୧ ରନ୍ର ଏକ ଦ୍ରୁତ ପାରୀ ଖେଳି ଦଳକୁ ସମ୍ଭାଳିଥିଲେ। ଏହି ପ୍ରଦର୍ଶନ ପରେ ଟି୨୦ ଦଳରେ ଜଣେ ପ୍ରଭାବଶାଳୀ ଫିନିସର୍ ଭାବେ ସେ ନିଜର ସ୍ଥାନ ପ୍ରାୟ ପକ୍କା କରିସାରିଛନ୍ତି।
ଟି୨୦ ଆନ୍ତର୍ଜାତୀୟରେ ନମନ ଧୀର
ନମନ ଏପର୍ଯ୍ୟନ୍ତ ୬ଟି ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୫ଟି ପାରୀରେ ୮୦ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୪୨ ରନ୍। ମାତ୍ର ୨୮ଟି ବଲ୍ର ସାମ୍ନା କରି ସେ ୭ଟି ଚୌକା ଓ ୬ଟି ବିଶାଳ ଛକା ମାରିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୮୫.୭୧ ରହିଛି। ବ୍ୟାଟିଂ ବ୍ୟତୀତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ବୋଲିଂ କରି ୩ଟି ୱିକେଟ୍ ମଧ୍ୟ ହାସଲ କରିସାରିଛନ୍ତି।
ବଢ଼ିଲା ରିଙ୍କୁ ସିଂହଙ୍କ ଚିନ୍ତା
ଟିମ୍ ଇଣ୍ଡିଆରେ ରିଙ୍କୁ ସିଂହଙ୍କୁ ମୁଖ୍ୟ ଫିନିସର୍ ଭାବେ ବିଚାର କରାଯାଏ, ଯିଏ ଚାପଗ୍ରସ୍ତ ପରିସ୍ଥିତିରେ ଦ୍ରୁତ ରନ୍ ସଂଗ୍ରହ କରିବାରେ ମାହିର। ମାତ୍ର ନମନ ଧୀରଙ୍କ ଆକ୍ରମଣାତ୍ମକ ରୂପ ଏବଂ ନିରବଚ୍ଛିନ୍ନ ପ୍ରଦର୍ଶନ ଯୋଗୁଁ ରିଙ୍କୁଙ୍କ ପାଇଁ ଦଳରେ ପ୍ରତିଯୋଗିତା ଅତ୍ୟନ୍ତ କଠିନ ହୋଇପଡ଼ିଛି।
ସୁନ୍ଦର ଓ ଦୁବେଙ୍କ ଆଗରେ ନୂଆ ଆହ୍ୱାନ
ଅନ୍ୟପଟେ ୱାଶିଂଟନ୍ ସୁନ୍ଦର ଜଣେ ଅଲରାଉଣ୍ଡର ଭାବେ ବୋଲିଂ ଓ ବ୍ୟାଟିଂରେ ଯୋଗଦାନ ଦିଅନ୍ତି ଏବଂ ଶିବମ୍ ଦୁବେ ଗଗନଚୁମ୍ବୀ ଛକା ମାରିବା ପାଇଁ ଜଣାଶୁଣା। କିନ୍ତୁ ନମନଙ୍କ ଉଭୟ ବ୍ୟାଟିଂ ଓ ବୋଲିଂ ଦକ୍ଷତା ଟିମ୍ ମ୍ୟାନେଜମେଣ୍ଟକୁ ଏକ ନୂଆ ବିକଳ୍ପ ଦେଇଛି। ଯଦିଓ ଏହି ତିନି ଖେଳାଳିଙ୍କ ଭୂମିକା ଭିନ୍ନ, ତଥାପି ନମନଙ୍କ ଏହି ଶାଣିତ ପ୍ରଦର୍ଶନ ଆଗାମୀ ମ୍ୟାଚ୍ଗୁଡ଼ିକରେ ଏମାନଙ୍କ ଦଳଗତ ସ୍ଥାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।