ମୁମ୍ବାଇ: କ୍ରିକେଟ୍ ଏବଂ କ୍ରିକେଟରଙ୍କ ପ୍ରତି ପ୍ରଶଂସକଙ୍କ ପାଗଳାମି ସବୁବେଳେ ଚର୍ଚ୍ଚାରେ ରହିଥାଏ। ନିଜର ସବୁଠାରୁ ପ୍ରିୟ ଖେଳାଳିଙ୍କୁ ଥରେ ଦର୍ଶନ କରିବା ପାଇଁ ଜଣେ ଫ୍ୟାନ୍ ଯାହା କରିଛନ୍ତି, ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିବା ପାଇଁ ଉତ୍ତରପ୍ରଦେଶ ଲକ୍ଷ୍ନୌର ଜଣେ ଯୁବକ ମୁମ୍ବାଇରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାୟ ୧,୦୦୦ କିଲୋମିଟର ପଦଯାତ୍ରା କରିଛନ୍ତି।
ଶେଷରେ ହାର୍ଦ୍ଦିକଙ୍କ ସହ ତାଙ୍କର ଏହି ଭେଟଘାଟ ସଫଳ ହୋଇଥିବା ବେଳେ, ହାର୍ଦ୍ଦିକଙ୍କ ବ୍ୟବହାର ସମସ୍ତଙ୍କ ହୃଦୟ ଜିତି ପାରିଛି। ହାର୍ଦ୍ଦିକ କେବଳ ତାଙ୍କୁ ଭେଟିଲେ ନାହିଁ, ବରଂ ଘରକୁ ଫେରିବା ପାଇଁ ଟ୍ରେନ୍ ଟିକେଟ୍ ବ୍ୟବସ୍ଥା କରିଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ହେଲା ସାକ୍ଷାତ
ରବି ନାମକ ଏହି ଯୁବକ ଜଣକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଣେ କଟ୍ଟର ଫ୍ୟାନ୍। ହାର୍ଦ୍ଦିକଙ୍କୁ ସାକ୍ଷାତ୍ କରିବା ପାଇଁ ସେ ମୁମ୍ବାଇରୁ ପାଦରେ ଚାଲିଚାଲି ବେଙ୍ଗାଲୁରୁ ସ୍ଥିତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)ର 'ସେଣ୍ଟର ଅଫ୍ ଏକ୍ସଲେନ୍ସ'ରେ ପହଞ୍ଚିଥିଲେ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରବି ହାତରେ ଏକ ପ୍ଲେ-କାର୍ଡ ଧରିଥିବାର ନଜର ଆସିଛନ୍ତି। ହାର୍ଦ୍ଦିକ ଯେତେବେଳେ ତାଙ୍କୁ ଭେଟିଲେ, ସେ ଅତ୍ୟନ୍ତ ଭାବ ବିହ୍ୱଳ ଭାବରେ ତାଙ୍କ ସହ କଥା ହୋଇଥିଲେ। ହାର୍ଦ୍ଦିକ ତାଙ୍କୁ ପଚାରିଥିଲେ,ତୁମ ପାଇଁ ମୁଁ କ’ଣ କରିପାରିବି? ତୁମର କୌଣସି ଜିନିଷର ଆବଶ୍ୟକତା ଅଛି କି? ଏହାସହ ହାର୍ଦ୍ଦିକ ତାଙ୍କୁ ଆଶ୍ୱସନା ଦେଇଥିଲେ ଯେ ସେ ଶୀଘ୍ର ତାଙ୍କ ସହ ପୁଣି ଯୋଗାଯୋଗ କରିବେ।
ଘରକୁ ଫେରିବା ପାଇଁ ଟ୍ରେନ୍ ଟିକେଟ୍ ବ୍ୟବସ୍ଥା
ନିଜର ପ୍ରିୟ ଖେଳାଳିଙ୍କୁ ଭେଟିବା ପାଇଁ ଏତେ ଲମ୍ବା କଷ୍ଟଦାୟକ ଯାତ୍ରା କରିଥିବା ରବିଙ୍କ ପାଇଁ ଏହି ମୁହୂର୍ତ୍ତଟି ଅତ୍ୟନ୍ତ ଭାବବିହ୍ୱଳ ଥିଲା। ହାର୍ଦ୍ଦିକ କେବଳ ତାଙ୍କ କଥା ବୁଝିଲେ ନାହିଁ, ବରଂ ସୁରକ୍ଷିତ ଭାବରେ ଘରକୁ ଫେରିବା ପାଇଁ ଟ୍ରେନ୍ ଟିକେଟ୍ ଯୋଗାଇଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।