ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ଫ୍ରାନ୍ସ ଗସ୍ତକୁ ନେଇ ଏବେ ରାଜନୈତିକ ବାତାବରଣ ସରଗରମ ରହିଛି। ଏହାରି ମଧ୍ୟରେ ଆମ ଆଦମୀ ପାର୍ଟି (AAP) ପକ୍ଷରୁ ଏକ ବଡ଼ ଦାବି କରାଯାଇଛି। ଦଳର ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ବିମାନବନ୍ଦର (Airport)ରେ ପ୍ରାୟ ୩ ଘଣ୍ଟା ଧରି ଅଟକ ରଖାଯାଇଥିଲା। ଦିଲ୍ଲୀ ‘ଆପ୍’ ସଭାପତି ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଏହି ଅଭିଯୋଗ ଆଣିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୌରଭ ଭରଦ୍ୱାଜ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପଞ୍ଜାବର ସ୍ୱତନ୍ତ୍ର ଉତ୍ପାଦଗୁଡ଼ିକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଗସ୍ତରେ ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନଓସି (NOC) ପ୍ରଦାନ ନ କରାଯିବା ପ୍ରସଙ୍ଗରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଥିଲେ। ଏହି ଘଟଣାକୁ କେନ୍ଦ୍ର ସରକାରଙ୍କ କ୍ଷମତା ଓ ଅହଙ୍କାର ସହ ତୁଳନା କରି ସୌରଭ କହିଛନ୍ତି, "କେନ୍ଦ୍ରର ଏହି ଅହଙ୍କାର ଶେଷ ହେବା ଆବଶ୍ୟକ। ଯେପରି ବିଜୟାଦଶମୀରେ ରାବଣର ଅହଙ୍କାରର ଅନ୍ତ ହୋଇଥିଲା, ସେହିପରି ସରକାରଙ୍କ ଏଭଳି ମନମୁଖୀ ନୀତି ମଧ୍ୟ ବଦଳିବ।"
ଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିବାଦ
ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ଏହି ବିଦେଶ ଗସ୍ତକୁ ନେଇ ପଞ୍ଜାବରେ ପୂର୍ବରୁ ହିଁ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇ ଆସୁଛନ୍ତି।ବିଜେପି ସାଂସଦ ତରୁଣ ଚୁଗ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବଢୁଥିବା ନିଶା କାରବାର ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜ ପତ୍ନୀଙ୍କୁ ସାଙ୍ଗରେ ଧରି ବିଦେଶରେ ଜନ୍ମଦିନ ପାଳନ କରୁଛନ୍ତି କିମ୍ବା ଏହା ଏକ ବ୍ୟକ୍ତିଗତ ଭ୍ରମଣ, ତାହା ସ୍ପଷ୍ଟ କରନ୍ତୁ।