ଭୁବନେଶ୍ବର: ଆସୁଛି କି ବାତ୍ୟା ? ପୁଣି ଭୟ ବଢ଼ାଇଲା ଅକ୍ଟୋବରରେ ବାତ୍ୟା ସମ୍ଭାବନା । କାରଣ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୨୨ ତାରିଖ ବେଳକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୩ରେ ଏହା ଲଘୁଚାପ ଏବଂ ୨୯ ତାରିଖ ବେଳକୁ ନେଇପାରେ ବାତ୍ୟାର ରୂପ । ଯାହାକୁ ନେଇ ବଢ଼ିଲାଣି ଚିନ୍ତା ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତା ୨୨ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା। ଏହା ୨୩ ତାରିଖରେ ଏହା ଲଘୁଚାପରେ ପରିଣତ ହୋଇପାରେ। ପାଣିପାଗର ବିଭିନ୍ନ ଅନୁକୂଳ ପରିସ୍ଥିତି ଯୋଗୁ ଏହା ଘନୀଭୂତ ହୋଇ ୨୯ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।
ଏହା ସହିତ ସେହି ସମୟରେ ଆରବ ସାଗରରେ ମଧ୍ୟ ଅନ୍ୟ ଏକ ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉଭୟ ସିଷ୍ଟମର ପରସ୍ପର ପ୍ରଭାବ ଓ ଗତିପଥ ସ୍ପଷ୍ଟ ହେବାକୁ ଆସନ୍ତା ୨୫ରୁ ୨୬ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ସୋଆ ସିଇସିର ନିର୍ଦ୍ଦେଶକ ଡ.ଶତର ସାହୁ ।
ସେପଟେ ଏବର୍ଷ ଭଲ ଅମଳ ପାଇଁ ଚାଷୀ ଆଶା ବାନ୍ଧିଥିବା ବେଳେ, ବାତ୍ୟା ଆଶଙ୍କା ଯୋଗୁ ସେମାନଙ୍କ ମନରେ ଏବେ ଛନକା । ଓୟୁଏଟିର ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକଙ୍କ ସୂଚନା ଅନୁସାରେ ଏକ ପୂର୍ବାଳୀୟ ୨୧ରୁ ୨୩ ଅକ୍ଟୋବର ଭିତରେ ମାଲାକ୍କା ପ୍ରଣାଳୀ ଅତିକ୍ରମ କରି ଆଣ୍ଡାମାନ ସାଗରରେ ପ୍ରବେଶ କରିପାରେ ଏବଂ ୨୫ରୁ ୨୭ ତାରିଖ ମଧ୍ୟରେ ଏହା ଅଧିକ ସଂଗଠିତ ହୋଇପାରେ। ତେଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚାଷୀମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସୂଚନାଥାଉକି, ଅକ୍ଟୋବରରେ ବାତ୍ୟା ଭୟ ଓଡ଼ିଶାବାସୀଙ୍କ ମନରେ ସବୁ ବେଳେ ଛନକା ସୃଷ୍ଟି କରେ। ତେବେ ଚଳିତ ବର୍ଷ ବାତ୍ୟା ନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଚାଷୀମାନେ ପାକଳ ଧାନ, ଡାଲି ଓ ଅନ୍ୟାନ୍ୟ ଫସଲର କଟା ଉତ୍ପାଦକୁ ସୁରକ୍ଷିତ ଓ ଶୁଖିଲା ସ୍ଥାନକୁ ନେବାକୁ ପରାମର୍ଶ ଦିଆଯାଇଛି।
ସେହିପରି ନର୍ସରୀ, ପନିପରିବା ଚାରା ଓ ନୂଆ ଫସଲ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ବର୍ଷା ନଥିବା ସମୟରେ ଫସଲରେ ସାର ଓ କୀଟନାଶକ ପ୍ରୟୋଗ କରନ୍ତୁ ଏବଂ ଭାରି ବର୍ଷା ସମ୍ଭାବନା ଥିଲେ ଏହି କାମ ସ୍ଥଗିତ ରଖନ୍ତୁ। କଦଳୀ, ଅମୃତଭଣ୍ଡା ଓ ଅନ୍ୟାନ୍ୟ ପନିପରିବା ଗଛକୁ ଖୁଣ୍ଟି ବାନ୍ଧି ରଖିବାକୁ ପରାମର୍ଶ ଦିଆଯାଇଛି।