ଭୁବନେଶ୍ୱର : ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ତାମିଲନାଡୁ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଏବଂ କାରାଇକାଲରେ ୨୬ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଯେମିତିକି ଲକ୍ଷଦ୍ୱୀପରେ ୨୨–୨୬ ଅକ୍ଟୋବର, କେରଳ ଏବଂ ମାହେ: ୨୧–୨୬ ଅକ୍ଟୋବର, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ୨୧–୨୪ ଅକ୍ଟୋବର
ଉପକୂଳ ଆନ୍ଧ୍ରପ୍ରଦେଶ, ୟାନାମ ଏବଂ ରାୟଲସୀମାରେ ୨୨ ଅକ୍ଟୋବର ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ଥାଇଲ୍ୟାଣ୍ଡ ଉପସାଗର ଏବଂ ଏହା ସଂଲଗ୍ନ ଥାଇଲ୍ୟାଣ୍ଡ ଓ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆସନ୍ତାକାଲି, ୨୧ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି।ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଏବଂ ଏହାର ପ୍ରଭାବରେ ୨୩ ଅକ୍ଟୋବର ୨୦୨୬ ଆଖପାଖରେ ଦକ୍ଷିଣ-ପୂର୍ବ ଓ ଏହା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହି ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ପରେ ପରବର୍ତ୍ତୀ ୩ଦିନରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।