ଭୁବନେଶ୍ୱର: ଦୁର୍ଗାପୂଜା ଭସାଣି ଓ ରାବଣପୋଡ଼ିକୁ ନେଇ କମିଶନରେଟ୍ ପୋଲିସର କଡ଼ା ଆଭିମୁଖ୍ୟ। ଶାନ୍ତିଶୃଙ୍ଖଳାର ସହ ପୂଜା ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପନ୍ନ କରିବାକୁ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ଭସାଣି ଶୋଭାଯାତ୍ରାରେ DJ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବାବେଳେ ରାତି ୧୦ଟା ପରେ ମ୍ୟୁଜିକ୍ ବଜାଇବାକୁ ମଧ୍ୟ ଅନୁମତି ମିଳିବ ନାହିଁ।
ପୋଲିସ ପକ୍ଷରୁ କୁହାଯାଇଛି, ଭସାଣିରେ କେବଳ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇପାରିବ। ସାଉଣ୍ଡ ବକ୍ସ ବ୍ୟବହାର କ୍ଷେତ୍ରରେ ମଧ୍ୟ ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ପଡ଼ିବ। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଆୟୋଜକଙ୍କ ବିରୋଧରେ କ୍ରିମିନାଲ କେସ୍ ରୁଜୁ ହେବ।
ସୁରକ୍ଷା ଦାୟିତ୍ୱରେ ୪୮ ପ୍ଲାଟୁନ୍ ଫୋର୍ସ
ଭସାଣି ପରିଚାଳନା ପାଇଁ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ପ୍ରାୟ ୧୦୦ ଜଣ ପୋଲିସ ଅଧିକାରୀ ନିୟୋଜିତ ହେବେ। ସେହିପରି ରାବଣପୋଡ଼ି ପାଇଁ ୯ଟି ସ୍ଥାନକୁ ଅନୁମତି ମିଳିଛି। ପ୍ରତ୍ୟେକ ସ୍ଥାନରେ ଅଗ୍ନି ନିରାପତ୍ତା ଓ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ।
ଭସାଣି ପାଇଁ ୬ଟି ସ୍ଥାନରେ ବ୍ୟବସ୍ଥା
କୁଆଖାଇ ନଦୀ ନିକଟରେ ୩ଟି, ଦୟା ନଦୀ ନିକଟରେ ୨ଟି ଓ ଚନ୍ଦକା ଅଞ୍ଚଳରେ ଗୋଟିଏ ଅସ୍ଥାୟୀ ଭସାଣି ସ୍ଥାନ ବ୍ୟବସ୍ଥା କରାଯାଇଛି। ଭସାଣି ଶୋଭାଯାତ୍ରା ଶୀଘ୍ର ଶେଷ କରିବା ସହ ପୋଲିସକୁ ସହଯୋଗ କରିବାକୁ ସମସ୍ତ ପୂଜା କମିଟି ଓ ଆୟୋଜକଙ୍କୁ ଅନୁରୋଧ କରାଯାଇଛି।