ଭୁବନେଶ୍ୱର : ଆଜି ବିଜୟା ଦଶମୀ ଅବସରରେ ଟ୍ବିନ ସିଟିରେ ରାବଣ ପୋଡ଼ି ଉତ୍ସବ ପାଇଁ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ସ୍ବରୂପ ଆଜି ସନ୍ଧ୍ୟା ପରଠାରୁ ଉଭୟ ସହରରେ ଆକାଶରଙ୍ଗୀ ଆତସବାଜି ଓ ଭବ୍ୟ କାର୍ଯ୍ୟକ୍ରମ ସହ ରାବଣ ପୋଡି ଉତ୍ସବ କରାଯିବ।
ସୂଚନା ଅନୁଯାୟୀ କଟକର ଐତିହାସିକ ତଳ ବାଲିଯାତ୍ରା ପଡ଼ିଆରେ ବାରବାଟୀ ସର୍ବଧର୍ମ ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଭବ୍ୟ ରାବଣ ଉତ୍ସବ ଆୟୋଜିତ ହେଉଛି। ଚଳିତ ବର୍ଷ ଏଠାରେ ଏକ ୮୦ ଫୁଟ୍ ଉଚ୍ଚର ବିରାଟ ରାବଣ ପ୍ରତିକୃତି ନିର୍ମାଣ କରାଯାଇଛି। ଏହା ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆକର୍ଷଣୀୟ ଲେଜର ଶୋ’ର ବ୍ୟବସ୍ଥା କରାଯାଇଛି। ମଧ୍ୟରାତ୍ରି ୧୨ଟା ସମୟରେ ରାବଣ ପୋଡ଼ି ଅନୁଷ୍ଠିତ ହେବ।
ପ୍ରାୟ ଦଶହଜାର ଦର୍ଶକଙ୍କ ବସିବା ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଟକରେ ୪୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ସେହିପରି ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବରର ୯ଟି ପ୍ରମୁଖ ସ୍ଥାନରେ ରାବଣ ପୋଡ଼ି ପାଇଁ କମିଶନରେଟ୍ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।
ବରମୁଣ୍ଡାରେ ୬୦ ଫୁଟ୍ ର ରାବଣ ପ୍ରତିକୃତି , ନୟାପଲ୍ଲୀ ୫୦ ଫୁଟ୍, ସୁନ୍ଦରପଦା-କପିଳପ୍ରସାଦ ୫୦ ଫୁଟ୍, କୋରଡ଼କାନ୍ତା ୬୫ ଫୁଟ୍ ଏବଂ କିସ୍ ରୋଡ୍ ୮୦ ଫୁଟ୍ର ବିରାଟ ପ୍ରତିକୃତି ସହ ସ୍ୱାମୀନାରାୟଣ ମନ୍ଦିର ଶୈଳୀର ତୋରଣ ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସନ୍ଧ୍ୟା ୭ଟା ପରଠାରୁ ବିଭିନ୍ନ ପେଣ୍ଡାଲରେ ରାବଣ ପୋଡି ପ୍ରକ୍ରିୟା ଆରମ୍ଭ ହେବ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗାଇଡଲାଇନ ଅନୁଯାୟୀ, ରାବଣ ପ୍ରତିକୃତି ଚାରିପାଖରେ ୧୦୦ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବାରିକେଡ୍ କରାଯାଇଛି, ଯାହାଦ୍ୱାରା ଦର୍ଶକମାନେ ନିରାପଦ ଦୂରତାରେ ରହି ବାଣଫୁଟା ଉପଭୋଗ କରିପାରିବେ। ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରତ୍ୟେକ ରାବଣ ପୋଡ଼ି ସ୍ଥଳରେ ଅଗ୍ନିଶମ ଗାଡ଼ି ଓ ସ୍ୱତନ୍ତ୍ର ଅଗ୍ନିଶମ କର୍ମଚାରୀ ସଜାଗ ରହିଛନ୍ତି।
ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଜାତୀୟ ରାଜପଥରେ କଟକ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଜୟଦେବ ବିହାରରୁ ସିଆରପି ସ୍କୋୟାର ଆଡ଼କୁ ଡାଇଭର୍ଟ କରାଯାଇଛି। ଦର୍ଶକମାନଙ୍କୁ ସୁରକ୍ଷିତ ଭାବେ ଯାତାୟାତ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।