ଯାଜପୁର: ଦୁର୍ଗା ମୂର୍ତ୍ତି ବିସର୍ଜନ ଦେଖି ଫେରୁଥିବା ବେଳେ ଅଘଟଣ। ତନ୍ତିଘାଇ ନଦୀ ପାର ହେଉଥିବା ସମୟରେ ଏକ ଡଙ୍ଗା ବୁଡ଼ିଯିବାରୁ ଦୁଇ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଦୁଇ ଯୁବକ ହେଲେ ଶୁଭଙ୍କର ଦଳାଇ ଓ ମାଣିଆ ଦଳାଇ। ଅନ୍ୟପଟେ ଡଙ୍ଗାରେ ଥିବା ଦୁଇ ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଘଟଣା ପରେ ନଦୀରେ ଖୋଜାଖୋଜି ଜାରି ରହିଛି।
ସୂଚନା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୮ଟା ସମୟରେ ଯାଜପୁର ଜିଲ୍ଲାର ଦୌରୀ ବନ୍ଧ ଘାଟ ନିକଟରେ ଏହି ଅଘଟଣ ଘଟିଛି। ମହମ୍ମଦ ଜମାଲପୁର ଗାଁର ଗୋଟିଏ ପରିବାରର ଚାରିଜଣ ଡଙ୍ଗାରେ ନଦୀ ପାର ହେଉଥିଲେ। ସେମାନେ ହେଲେ ୭୫ ବର୍ଷୀୟ ହେମଲତା ଦଳାଇ, ତାଙ୍କ ୬୦ ବର୍ଷୀୟା ଝିଅ ଭାମା ଦଳାଇ ଏବଂ ତାଙ୍କ ଦୁଇ ନାତି ଶୁଭଙ୍କର ଓ ମାଣିଆ ଦଳାଇ।
ପରିବାର ସଦସ୍ୟମାନେ ଦାଉଁରକୁଳରେ ହୋଇଥିବା ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଦେଖିବାକୁ ଯାଇଥିଲେ। ଗୁରୁବାର ସକାଳେ ଫେରିବା ସମୟରେ ନଦୀରେ ଡଙ୍ଗାଟି ବୁଡ଼ିଯାଇଥିଲା। ଡଙ୍ଗା ବୁଡ଼ିବା ପରେ ନଦୀରେ ବୁଡ଼ିଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ତୁରନ୍ତ ପହଞ୍ଚି ହେମଲତା ଓ ଭାମାଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନା ସୂତ୍ର ଅନୁସାରେ, ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ତେବେ ଶୁଭଙ୍କର ଓ ମାଣିଆଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ। ଖବର ପାଇ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଛି। ସ୍ଥାନୀୟ ପ୍ରଶାସନ ଓ ପୁଲିସ ମଧ୍ୟ ଘଟଣା ଉପରେ ନଜର ରଖିଛନ୍ତି। ନିଖୋଜ ଦୁଇ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।