ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃତ୍ୱ ବିଭାଗରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମୃତଦେହକୁ ହସ୍ପିଟାଲ ବାହାରେ ରଖି ପରିବାର ସଦସ୍ୟମାନେ ପ୍ରତିବାଦ କରିବା ସହ ନ୍ୟାୟ ଦାବି କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ପରିବାର ଲୋକଙ୍କୁ ବୁଝାଶୁଝା କରିଛି।
ମୃତ ମହିଳା ଜଣକ ହେଲେ କଣ୍ଟାବାଞ୍ଜି ଅଞ୍ଚଳର ଆଶ୍ରମପଡ଼ାର ମଞ୍ଜୁଲତା ବେହେରା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତିନି ଦିନ ତଳେ ମଞ୍ଜୁଲତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ ଏବଂ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଥିଲା।
ପରେ ମଞ୍ଜୁଲତାଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଆବଶ୍ୟକ ଚିକିତ୍ସା ମିଳିନଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ମହିଳାଙ୍କ ମୃତ୍ୟୁ ପରେ ଏହି ଅଭିଯୋଗକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।
ପରିବାର ଲୋକେ ମୃତଦେହକୁ ହସ୍ପିଟାଲ ବାହାରେ ରଖି ପ୍ରତିବାଦ କରିବା ସହ ଘଟଣାର ନ୍ୟାୟସଙ୍ଗତ ତଦନ୍ତ ଓ ନ୍ୟାୟ ଦାବି କରିଥିଲେ। ଖବର ପାଇ ବଲାଙ୍ଗୀର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲା। ତେବେ ମହିଳାଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ ଏବଂ ଚିକିତ୍ସାରେ ଅବହେଳା ହୋଇଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।