ଭୁବନେଶ୍ୱର : ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ ଗତ ସେପ୍ଟେମ୍ବର ମାସରେ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ଶାବକଙ୍କୁ ସେମାନଙ୍କ ନିଜ ଦେଶ ଇଣ୍ଡୋନେସିଆ ଫେରାଇ ନେବା ପାଇଁ କୂଟନୈତିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଜାକର୍ତ୍ତା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ମିଳିଛି।
ଦୁଇ ଦେଶ ମଧ୍ୟରେ ଏହି ପ୍ରକ୍ରିୟାକୁ ନେଇ ପ୍ରଶାସନିକ ଆଲୋଚନା ଚାଲିଛି । ଶାବକମାନଙ୍କୁ ପଠାଇବା ପୂର୍ବରୁ ସେମାନଙ୍କର ପ୍ରକୃତ ପ୍ରଜାତି ଏବଂ ଭୌଗଳିକ ଉତ୍ପତ୍ତି ସ୍ଥଳ ନିଶ୍ଚିତ କରିବା ପାଇଁ ଡିଏନଏ ଏବଂ ମର୍ଫୋଲୋଜିକାଲ୍ ପରୀକ୍ଷା କରାଯିବ ।
ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଓ CITES ନିୟମାବଳୀ ପୂରଣ କରିବା ଲାଗି ଇଣ୍ଡୋନେସିଆର ବନ୍ୟପ୍ରାଣୀ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ଦଳ ଭାରତ ଆସି ଶାବକମାନଙ୍କର ସ୍ୱାସ୍ଥ୍ୟ ଓ ଚିହ୍ନଟ ପ୍ରକ୍ରିୟାର ଅନୁଧ୍ୟାନ କରିବେ ।
ବର୍ତ୍ତମାନ ଏହି ୫ଟି ଯାକ ଶାବକ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେଣ୍ଟିନରେ ଏବଂ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ସୁରକ୍ଷିତ ଅଛନ୍ତି ।
ଗତ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଏହି ଅଣ-ଦେଶୀୟ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଥିଲା । ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣ ରାକେଟ୍ ଦ୍ୱାରା ବାଂଲାଦେଶ ବାଟ ଦେଇ ଏମାନଙ୍କୁ ଭାରତ ଅଣାଯାଇଥିବା ସନ୍ଦେହ କରାଯାଉଛି, ଯାହାର ତଦନ୍ତ ୱାଇଲ୍ଡଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (WCCB) କରୁଛି ।
ସୂଚନାଯୋଗ୍ୟ ଯେ, ନିକଟରେ ଗୁଜରାଟରୁ ଉଦ୍ଧାର ହୋଇଥିବା 'ରକି' ନାମକ ଏକ ସୁମାତ୍ରା ପ୍ରଜାତିର ଓରାଙ୍ଗଉଟାନକୁ ମଧ୍ୟ ସଫଳତାର ସହ ଇଣ୍ଡୋନେସିଆ ଫେରି ଯାଇଛି। ଯାହା ଏହି ୫ ଶାବକଙ୍କୁ ଫେରାଇବା ପ୍ରକ୍ରିୟାକୁ ଆହୁରି ସହଜ କରିବ ।