ଭୁବନେଶ୍ୱର: ସରିଛି ମା’ ଦୁର୍ଗାଙ୍କ ପୂଜା। ଏବେ ମା’ଙ୍କୁ ମେଲାଣି ଦେବାର ପାଳି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଆଜି ହେବ ମା’ଙ୍କ ଭସାଣି ଉତ୍ସବ। ଶାନ୍ତିଶୃଙ୍ଖଳାର ସହ ଏହି ଉତ୍ସବ ସମ୍ପନ୍ନ କରିବାକୁ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଭସାଣି ପାଇଁ ସହରରେ ୬ଟି ଅସ୍ଥାୟୀ ବିସର୍ଜନ ସ୍ଥଳ ପ୍ରସ୍ତୁତ କରିଛି ବିଏମ୍ସି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ। ଏଥିପାଇଁ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୦୦ ଜଣ ଅଧିକାରୀ ମୁତୟନ ହେବେ। ଭସାଣି ଶୋଭାଯାତ୍ରାରେ ଡିଜେ ବଜାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ଡିଜେ ବଜାଇଲେ ରୁଜୁ ହେବ ମାମଲା
ଭୁବନେଶ୍ୱର ଡିସିପି ସ୍ପଷ୍ଟ କରିଛନ୍ତି ଯେ, ଭସାଣି ଶୋଭାଯାତ୍ରାରେ ଡିଜେକୁ ଅନୁମତି ମିଳିବ ନାହିଁ। ନିୟମ ଉଲ୍ଲଂଘନ କରି କେହି ଡିଜେ ବଜାଇଲେ ତାହାକୁ ଜବତ କରାଯିବା ସହ ଅପରାଧିକ ମାମଲା ରୁଜୁ ହେବ। ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ଡିସିପି ଚେତାବନୀ ଦେଇଛନ୍ତି। ଆଜି ଅପରାହ୍ନ ୨ଟାରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ଏହି କଟକଣା ରାତି ୧ଟା ପର୍ଯ୍ୟନ୍ତ ଜାରି ରହିବ।
ନୟାପଲ୍ଲୀ ଓ ସହିଦନଗର ପାଇଁ ଟ୍ରାଫିକ୍ କଟକଣା
ନୟାପଲ୍ଲୀ ପୂଜା କମିଟି ସହ ଅନ୍ୟ ୨୦ଟି ପୂଜା କମିଟିର ମେଢ଼ ଭସାଣିରେ ସାମିଲ ହେବେ। ନୟାପଲ୍ଲୀ ଛକରୁ ଶୋଭାଯାତ୍ରା ବାହାରି ସିଆରପି, ଡିଏଭି ଛକ, ଗୋପବନ୍ଧୁ ଛକ ଓ ଶିରିପୁର ଦେଇ ବିମାନବନ୍ଦର ଛକରେ ପହଞ୍ଚିବ। ଏହି ସମୟରେ ସିଆରପି ଛକ ପଟୁ ଜୟଦେବ ବିହାର ଯିବାକୁ ଥିବା ଗାଡ଼ିଗୁଡ଼ିକୁ ଏକାମ୍ର ପାର୍କ ରାସ୍ତାରେ ଡାଇଭର୍ଟ କରାଯିବ।
ସେହିପରି ସହିଦନଗର ପୂଜା କମିଟିର ୨୪ଟି ମେଢ଼ ସହିଦନଗରରୁ ବାହାରି ରାମ ମନ୍ଦିର ଓ ମାଷ୍ଟରକ୍ୟାଣ୍ଟିନ୍ ଦେଇ ରାଜମହଲ ଛକରେ ପହଞ୍ଚିବ। ଏହି ସମୟରେ ଗାଡ଼ିଗୁଡ଼ିକୁ ସଚିବାଳୟ ମାର୍ଗ ଓ ନିକଟବର୍ତ୍ତୀ ରାସ୍ତା ଦେଇ ଯାତାୟାତ କରିବାକୁ ପଡ଼ିବ।
ଉତ୍ତର ଭୁବନେଶ୍ୱରରେ ଦୁଇଟି ପୂଜା କମିଟିର ମେଢ଼ କ୍ଲବ୍ ଟାଉନ୍ ଆପାର୍ଟମେଣ୍ଟ ପଡ଼ିଆ ଓ ଡମଣା ପଡ଼ିଆରେ ଏକାଠି ହେବା ପରେ ନାଲ୍କୋ ଛକ ଦେଇ ଯିବେ। ନନ୍ଦନକାନନ ଛକରୁ ଜୟଦେବ ବିହାର ଯାଉଥିବା ଗାଡ଼ିଗୁଡ଼ିକୁ କିଟ୍ କିମ୍ବା କଳାରାହାଙ୍ଗ ଛକ ନିକଟରୁ ଅନ୍ୟ ରାସ୍ତାକୁ ଡାଇଭର୍ଟ କରାଯିବ।
ବିସର୍ଜନ ପାଇଁ ପ୍ରସ୍ତୁତ ଅସ୍ଥାୟୀ ପୋଖରୀ
ମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ପଳାସୁଣି, ହଂସପାଳ, ବାସୁଆଘାଇ, ଟଙ୍କପାଣି ରୋଡ୍ ଓ ଦୟା ନଦୀ କୂଳରେ ଥିବା ଲିଙ୍ଗିପୁରରେ ଅସ୍ଥାୟୀ ପୋଖରୀ ତିଆରି ହୋଇଛି। ଏହା ସହ ସେଣ୍ଟୁରିଅନ୍, ଚନ୍ଦକା ଓ କୁଶଭଦ୍ରା ନଦୀ କୂଳରେ ମଧ୍ୟ ବିସର୍ଜନ ବ୍ୟବସ୍ଥା କରାଯାଇଛି। ପୋଖରୀ ନିକଟରେ ଜେସିବି, ଟ୍ରାକ୍ଟର ଓ ସହାୟକ ଟିମ୍ ମୁତୟନ ରହିବେ। ମେଢ଼ଗୁଡ଼ିକ ସହଜରେ ପହଞ୍ଚିବା ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି।
ସହରରେ ଯାତାୟାତ ଓ ଆଇନଶୃଙ୍ଖଳା ଉପରେ ପୋଲିସ ନଜର ରଖିବ। ତେଣୁ ଭସାଣି ସମୟରେ ଟ୍ରାଫିକ୍ କଟକଣାକୁ ମାନିବା ସହ ନିର୍ଦ୍ଧାରିତ ରାସ୍ତାରେ ଯାତାୟାତ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।