କଟକ: ଆଜି କଟକରେ ମା’ ଦୁର୍ଗାଙ୍କ ଭବ୍ୟ ମେଲାଣି ଓ ଭସାଣି ଉତ୍ସବ। ଦେବୀଗଡ଼ାରେ ମା’ଙ୍କୁ ବିଦାୟ ଦେବାକୁ ସଜବାଜ ହୋଇଛି ରୂପାନ୍ତରିତ ସହର କଟକ। ୧୫୦ରୁ ଅଧିକ ଦୁର୍ଗାପୂଜା ମଣ୍ଡପର ମେଢ଼ ଭସାଣି ପାଇଁ ଆସିବାକୁ ଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ଓ ପ୍ରଦୂଷଣ ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରର ମୁଖ୍ୟ ଭସାଣି ଶୋଭାଯାତ୍ରା ମାର୍ଗରେ ୧୩୦୦ରୁ ଅଧିକ ସିସିଟିଭି କ୍ୟାମେରା ନଜର ରଖିବ।
ଭସାଣି ପାଇଁ ତିଆରି ହୋଇଛି ୩ଟି ଅସ୍ଥାୟୀ ପୋଖରୀ
କାଠଯୋଡ଼ି ନଦୀରେ ପ୍ରଦୂଷଣ ରୋକିବା ପାଇଁ କଟକ ମହାନଗର ନିଗମ (CMC) ପକ୍ଷରୁ ଦେବୀଗଡ଼ାରେ ୮ ଫୁଟ ଗଭୀରତା ବିଶିଷ୍ଟ ତିନୋଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ସହର ଉପକଣ୍ଠର ପୂଜା ମଣ୍ଡପଗୁଡ଼ିକ ପାଇଁ ଗୋପାଳପୁରରେ ମଧ୍ୟ ଏକ ସ୍ୱତନ୍ତ୍ର ପୋଖରୀ ଖୋଳାଯାଇଛି। ଏହି ପୋଖରୀଗୁଡ଼ିକରେ ପଲିଥିନ୍ ବିଛାଯାଇଥିବାରୁ ନଦୀ ଜଳ ପ୍ରଦୂଷିତ ହେବାର ଆଶଙ୍କା କମିବ।
ମୂର୍ତ୍ତିଗୁଡ଼ିକୁ ପାଣିରେ ବିସର୍ଜନ କରିବା ପାଇଁ ହାଇଡ୍ରା ମେସିନ୍ ବ୍ୟବହାର କରାଯିବ। ଭସାଣି ପରେ ତୁରନ୍ତ ପୋଖରୀ ସଫା କରିବାକୁ ଏକ୍ସକାଭେଟର୍, ଟ୍ରାକ୍ଟର ଓ ସଫେଇ ଟିମ୍ ନିୟୋଜିତ ହୋଇଛନ୍ତି। ରାତିରେ ମଧ୍ୟ ଭସାଣି ଜାରି ରଖିବା ପାଇଁ ଲାଇଟ୍ ଟାୱାର୍ ଲଗାଯାଇଛି।
୧୩୦୦ରୁ ଅଧିକ CCTV କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥା
ଭସାଣି ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। କଲେଜ ଛକରୁ ଦେବୀଗଡ଼ା ପର୍ଯ୍ୟନ୍ତ ରାଣୀହାଟ, ମଙ୍ଗଳାବାଗ, ନୂଆପାଟଣା, କ୍ୟାଣ୍ଟନମେଣ୍ଟ ରୋଡ୍, ମସ୍ତାନ ରୋଡ୍, ମଣିସାହୁ ଛକ, ବକ୍ସିବଜାର, ବାରପଥର, ଟିଣକୋଣିଆ ବଗିଚା, ଦରଘାବଜାର, ଜେଲ୍ ରୋଡ୍ ଓ ଚୌଧୁରୀ ବଜାର ଦେଇ ଯାଉଥିବା ପାରମ୍ପରିକ ରାସ୍ତାରେ କ୍ୟାମେରା ନଜର ରହିବ।