କୋରାପୁଟ: କୋଟିଆ ସୀମା ବିବାଦକୁ ନେଇ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ କୋଟିଆ ଅଞ୍ଚଳରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ବେଳେ, ଅନ୍ୟପଟେ ଓଡ଼ିଶା ସରକାର ଏହି ବେଆଇନ ଅନୁପ୍ରବେଶକୁ ରୋକିବା ପାଇଁ ଆଇନଗତ ଲଢ଼େଇ ଜୋରଦାର କରିବାକୁ ପ୍ରସ୍ତୁତ ହେଉଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଆନ୍ଧ୍ର ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଓଡ଼ିଶା ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛନ୍ତି।
ସାଲୁରରେ ନାମାଙ୍କନ ଦାଖଲ, ଗାଁଗୁଡ଼ିକ ନିଶବ୍ଦ
କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ସହ ଆଶଙ୍କା ପ୍ରକାଶ ପାଇଛି। ତେଲୁଗୁ ଦେଶମ୍ ପାର୍ଟି (TDP) ଏବଂ YSR କଂଗ୍ରେସର ନେତା ଓ କର୍ମୀମାନେ ନିଜ ନିଜ ସମର୍ଥକଙ୍କୁ ଧରି ସାଲୁରସ୍ଥିତ ନିର୍ବାଚନ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। TDP ପକ୍ଷରୁ ଉପରସେମ୍ବି ଗାଁର ସିରାଞ୍ଜିବି ତାଡିଙ୍ଗି ଏବଂ YSR କଂଗ୍ରେସ ପକ୍ଷରୁ ପାନକୂଳୱାଲସା ଗାଁର ମାଝୀ କାନପୁରିଆ ପ୍ରାର୍ଥିପତ୍ର ଦାଖଲ କରିଥିବା ସୂଚନା ମିଳିଛି। ଲୋକମାନେ ନାମାଙ୍କନ ପାଇଁ ସାଲୁର ଯାଇଥିବାରୁ କୋଟିଆର ସୀମାନ୍ତ ଗାଁଗୁଡ଼ିକ ଶୂନଶାନ ହୋଇପଡ଼ିଛି।
ସ୍ଥାନୀୟ କୋଟିଆ ସରପଞ୍ଚଙ୍କ କହିବା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଅଧିକ ଲାଭ ଓ ସୁବିଧା ପାଉଥିବାରୁ ସ୍ଥାନୀୟ ଲୋକଙ୍କୁ ଆନ୍ଧ୍ର ନିର୍ବାଚନରେ ସାମିଲ ହେବାରୁ ଅଟକାଇବା ଏକ ବଡ଼ ଆହ୍ୱାନ ହୋଇଛି।
କୋଟିଆରେ ଓଡ଼ିଶାର ସ୍ୱତନ୍ତ୍ର ଟିମ୍
ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। କୋରାପୁଟ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଏକ ସ୍ୱତନ୍ତ୍ର ଟିମ୍ କୋଟିଆ ଗସ୍ତ କରି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ବେଖାତିର କରି ବେଆଇନ କାର୍ଯ୍ୟ କରୁଥିବାରୁ ଓଡ଼ିଶା ସରକାର ଆଇନଗତ ବାଟରେ ଏହାର କଡ଼ା ଜବାବ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ତେଜିଲା ରାଜନୀତି
ଅପରପକ୍ଷରେ କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ପାରଦ ବି ବୃଦ୍ଧି ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ପରେ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ସୋସିଆଲ ମିଡିଆରେ କାଦୁଅଫିଙ୍ଗା ଚାଲିଛି। ବିଜେଡି ନିଜର 'X' ହ୍ୟାଣ୍ଡେଲରେ କାର୍ଟୁନ୍ ପୋଷ୍ଟ କରି ଲେଖିଛି ଯେ, "କୋଟିଆ ନେଇଗଲାଣି, ବିଜେପି ସରକାରଙ୍କ ନୋ ଟେନସନ।"
ଏହାର ପଲଟା ଜବାବ ଦେଇ ବିଜେପି କାର୍ଟୁନ୍ ମାଧ୍ୟମରେ କାଉଣ୍ଟର କରିଛି ଯେ, "୨୪ ବର୍ଷର ଶାସନ କାଳରେ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ବିଜେଡି ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ସେମାନଙ୍କ ଦୋମୁହାଁ ନୀତି ଆଜି ରାଜ୍ୟବାସୀଙ୍କ ସାମ୍ନାରେ ପଦାରେ ପଡ଼ିଛି।"