ଭୁବନେଶ୍ୱର: ଅକ୍ଟୋବର ଶେଷରେ ବଙ୍ଗୋପସାଗରରେ ପାଣିପାଗରେ ବଡ଼ ପରିବର୍ତ୍ତନ ହେବା ନେଇ ଆକଳନ କରାଯାଉଛି। ସମୁଦ୍ରରେ ସକ୍ରିୟ ଥିବା ଏକ ଘୂର୍ଣ୍ଣିବଳୟ ଆଗକୁ ଲଘୁଚାପର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନାକୁ ନେଇ କିଛି ବିଦେଶୀ ପାଣିପାଗ ମଡେଲ୍ ଆକଳନ କରିଛନ୍ତି। ଏହାର ପ୍ରଭାବ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।
ତେବେ ଏଯାଏଁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବାତ୍ୟା ନେଇ କୌଣସି ନିଶ୍ଚିତ ଆକଳନ କରାଯାଇନାହିଁ। ତେଣୁ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ।
୨୩ରେ ଲଘୁଚାପ, ତା’ପରେ କ’ଣ ହେବ?
ଭାରତୀୟ ପାଣିପାଗ ବିଭାଗର ଅକ୍ଟୋବର ୨୧ର ବୁଲେଟିନ୍ ଅନୁଯାୟୀ, ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ତିନି ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇପାରେ।
ଏହି ପ୍ରଣାଳୀ କେଉଁ ଦିଗକୁ ଗତି କରିବ ଏବଂ ଏହାର ତୀବ୍ରତା କେତେ ରହିବ, ତାହା ଉପରେ ପାଣିପାଗ ବିଶେଷଜ୍ଞମାନେ ନଜର ରଖିଛନ୍ତି। ଲଘୁଚାପ ସୃଷ୍ଟି ହେବା ପରେ ଏହାର ପରବର୍ତ୍ତୀ ସ୍ଥିତି ଅଧିକ ସ୍ପଷ୍ଟ ହେବ। ତେଣୁ ଓଡ଼ିଶା ଉପକୂଳରେ ବାତ୍ୟା ମାଡ଼ ହେବା ନେଇ ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ପାଣିପାଗ ସମ୍ପର୍କିତ ସଦ୍ୟତମ ଓ ଅଧିକାରିକ ସୂଚନା ପାଇଁ IMDର ବୁଲେଟିନ୍ ଉପରେ ନଜର ରଖିବା ଜରୁରୀ।