କଟକ: ପରମ୍ପରାର ସହର କଟକର ଦୁର୍ଗାପୂଜା ସବୁବେଳେ ନିଆରା। ଏଠାରେ ମା’ଙ୍କ ଆରାଧନା ସହ ଯୋଡ଼ି ହୋଇ ରହିଛି ଅନେକ ସ୍ୱତନ୍ତ୍ର ରୀତିନୀତି ଓ ଖାଦ୍ୟ ପରମ୍ପରା। ମହାନବମୀରେ ମାଛ ଭୋଗଠାରୁ ଆରମ୍ଭ କରି ଦଶହରାରେ ଦହି ପଖାଳ ଓ ଛଙ୍କା ତରକାରୀ ଭୋଗ ପର୍ଯ୍ୟନ୍ତ, କଟକର ପୂଜା ପରମ୍ପରା ଅନ୍ୟ ସ୍ଥାନଠାରୁ ଭିନ୍ନ। ଚଳିତବର୍ଷ ଦଶହରାରେ ଚାଉଳିଆଗଞ୍ଜରେ ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ପ୍ରସ୍ତୁତ ହେଉଛି ଦହି ପଖାଳ ଓ ପନିପରିବା ଛଙ୍କା ତରକାରୀ ଭୋଗ।
୧୦ ହଜାର ଭକ୍ତଙ୍କ ପାଇଁ ଭୋଗ ପ୍ରସ୍ତୁତି
ଦଶହରା ଅବସରରେ ଚାଉଳିଆଗଞ୍ଜରେ ଭୋଗ ପ୍ରସ୍ତୁତିକୁ ନେଇ ବ୍ୟାପକ ଆୟୋଜନ କରାଯାଇଛି। ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ଦହି ପଖାଳ ଓ ପନିପରିବା ଛଙ୍କା ତରକାରୀ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ୨ କ୍ୱିଣ୍ଟାଲ ଦହି, ୯ କ୍ୱିଣ୍ଟାଲ ଚାଉଳ ଏବଂ ୩୦ କ୍ୱିଣ୍ଟାଲ ପନିପରିବା ବ୍ୟବହାର କରାଯାଉଛି।
ଏତେ ବିପୁଳ ପରିମାଣରେ ଭୋଗ ପ୍ରସ୍ତୁତି କଟକର ଦୁର୍ଗାପୂଜାର ଆୟୋଜନ ଓ ସାମୂହିକ ଭକ୍ତିଭାବକୁ ପ୍ରତିଫଳିତ କରୁଛି। ଦଶହରାରେ ମା’ଙ୍କ ଦର୍ଶନ ସହ ଏହି ଭୋଗ ପରମ୍ପରାରେ ସାମିଲ ହେବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି।
ମହାନବମୀରେ ମାଛ ଭୋଗ, ଦଶହରାରେ ଦହି ପଖାଳ
କଟକର ଦୁର୍ଗାପୂଜାର ଆଉ ଏକ ଆକର୍ଷଣ ହେଉଛି ଏଠାକାର ପାରମ୍ପରିକ ଭୋଗ। ମହାନବମୀ ଅବସରରେ ଚାନ୍ଦିନୀଚୌକ ଓ ଆଲିଶା ବଜାରରେ ମାଛ ଭୋଗ ଅର୍ପଣ କରାଯାଇଥିଲା। ଏହି ନିଆରା ପରମ୍ପରା କଟକର ଦୁର୍ଗାପୂଜାକୁ ସ୍ୱତନ୍ତ୍ର ପରିଚୟ ଦେଇଛି।
ଗୋଟିଏ ପଟେ ମହାନବମୀରେ ମାଛ ଭୋଗ, ଅନ୍ୟପଟେ ଦଶହରାରେ ଦହି ପଖାଳ ଓ ଛଙ୍କା ତରକାରୀ, ଏହି ସ୍ୱତନ୍ତ୍ର ଖାଦ୍ୟ ପରମ୍ପରା କଟକର ଦୁର୍ଗାପୂଜା ସଂସ୍କୃତିର ଅନନ୍ୟ ଝଲକ ଦେଖାଏ।
କଟକର ଦୁର୍ଗାପୂଜା କେବଳ ମଣ୍ଡପ, ତୋରଣ ଓ ଆଲୋକମାଳାରେ ସୀମିତ ନୁହେଁ; ବରଂ ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଏହି ପରମ୍ପରା ଲୋକଙ୍କ ଭାବନା ଓ ଆସ୍ଥା ସହ ଗଭୀର ଭାବେ ଜଡ଼ିତ। ସେଥିପାଇଁ ତ କଟକର ଦଶହରାର ରଙ୍ଗ ଓ ଢଙ୍ଗ ସବୁବେଳେ ନିଆରା।