କୋଟା: ଦୁର୍ଗା ପୂଜାର ଖୁସି ମଧ୍ୟରେ ଖେଳିଗଲା ଶୋକର ଛାୟା। ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଏକ ଡଙ୍ଗା ନଦୀନାଳରେ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ଦୁଇ ଜଣ ନିଖୋଜ ଥିବାବେଳେ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ରାଜସ୍ଥାନର କୋଟାରେ ଘଟିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ ବୋରଖେଡ଼ା ଥାନା ଅଞ୍ଚଳର ଷ୍ଟିଲ୍ ବ୍ରିଜ୍ ନିକଟରେ ଏହି ଅଘଟଣ ଘଟିଥିଲା। ଡଙ୍ଗାରେ ସାତ ଜଣ ଥିବାବେଳେ ମୂର୍ତ୍ତି ବିସର୍ଜନ ସମୟରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳଟି ବିସର୍ଜନ ପାଇଁ ନିଷିଦ୍ଧ ଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ତିନି ଜଣ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଅନ୍ୟମାନଙ୍କୁ ଖୋଜିବା ପାଇଁ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମଙ୍ଗଳବାର ରାତି ପ୍ରାୟ ୧୧ଟା ୩୦ରେ ଅନ୍ଧାର ଯୋଗୁଁ ତଲାସୀ ଅଭିଯାନ ବନ୍ଦ ହୋଇଥିଲା। ବୁଧବାର ସକାଳ ୫ଟା ୩୦ରୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା।
ଏହି ସମୟରେ ସୁରଜ ସିଂହ (୨୨) ଓ ବିକାଶ ବର୍ମା (୨୨)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଭୟଙ୍କ ମୃତଦେହ ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୨୦୦ରୁ ୩୦୦ ମିଟର ଦୂରରେ ମିଳିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅନ୍ୟପଟେ ସଞ୍ଜୟ ନଗରର ରାହୁଲ ଯୋଶୀ (୧୮) ଓ ଆଶୁ ଯୋଶୀ (୧୯) ଏବେ ବି ନିଖୋଜ ଅଛନ୍ତି।
ସୂଚନାଯୋଗ୍ୟ, ଚମ୍ବଲ ନଦୀ ଘାଟ ଓ କେନାଲ ନିକଟରେ ମୂର୍ତ୍ତି ବିସର୍ଜନ ପାଇଁ ୧୦ରୁ ୧୨ଟି ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଥିଲା। ସେଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଥିଲା। ତଥାପି ନିଷିଦ୍ଧ ସ୍ଥାନରେ ବିସର୍ଜନ କରିବାକୁ ଯାଇ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଘଟଣା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜସ୍ଥାନ ଶିକ୍ଷାମନ୍ତ୍ରୀ ମଦନ ଦିଲାୱର ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ନିଖୋଜ ଦୁଇ ଜଣଙ୍କୁ ଖୋଜିବା ପାଇଁ ତଲାସୀ ଜାରି ରହିଛି।