ନୂଆଦିଲ୍ଲୀ: ନାଁ ଅସଲି, ପ୍ୟାକେଟ୍ ଅସଲି ଭଳି, କିନ୍ତୁ ଭିତରେ ନକଲି ସାମଗ୍ରୀ! ଦିଲ୍ଲୀରେ ଏଭଳି ଏକ ବଡ଼ ନକଲି ସାମଗ୍ରୀ ରାକେଟ୍ର ପର୍ଦ୍ଦାଫାସ୍ କରିଛି ପୋଲିସ କ୍ରାଇମବ୍ରାଞ୍ଚ। ENO ଓ FeviKwik ଭଳି ପରିଚିତ ବ୍ରାଣ୍ଡ୍ର ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ଛାଡ଼ିବା ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି।
ଅକ୍ଟୋବର ୧୭ ଓ ୧୮ ତାରିଖରେ ଦିଲ୍ଲୀର ଘୋଣ୍ଡା ଓ ନାଙ୍ଗଲୋଇ ଅଞ୍ଚଳରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ। ଏହି ସମୟରେ ନକଲି ସାମଗ୍ରୀ ତିଆରି ଓ ପ୍ୟାକିଂ କରାଯାଉଥିବା ଗୋଦାମ ଏବଂ ଅବୈଧ ୟୁନିଟ୍ର ସନ୍ଧାନ ମିଳିଥିଲା।
ଜବତ ସାମଗ୍ରୀ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ
- ପ୍ରାୟ ୧.୯୮ ଲକ୍ଷ ନକଲି ENO ପ୍ୟାକେଟ୍।
- ପ୍ରାୟ ୪ ଲକ୍ଷ ଖୋଲା ENO ପାଉଚ୍ ବୋଲି ଆକଳନ।
- ୧,୧୨,୫୬୦ଟି ନକଲି FeviKwik ପାଉଚ୍।
- MDH ମସଲାର ପ୍ୟାକିଂ ସାମଗ୍ରୀ, ପ୍ୟାକିଂ ମେସିନ୍ ଓ ପ୍ରାୟ ୨୦୦ କିଲୋଗ୍ରାମ କଞ୍ଚାମାଲ।
ଏହି ମାମଲାରେ ନବୀନ ସିଙ୍ଗଲ ଓ ବଲରାଜ ବଂଶଲ ଗିରଫ ହୋଇଛନ୍ତି। ଏହି ନକଲି ସାମଗ୍ରୀ କେଉଁଠାରୁ କଞ୍ଚାମାଲ ଆଣି ପ୍ରସ୍ତୁତ କରାଯାଉଥିଲା ଏବଂ କେଉଁ କେଉଁ ରାଜ୍ୟକୁ ଯୋଗାଣ ହେଉଥିଲା, ତାହାର ତଦନ୍ତ ଚାଲିଛି।