ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ HDFC Bank ଏବେ ଏକ ବଡ଼ ବିବାଦକୁ ନେଇ ଚର୍ଚ୍ଚାରେ। ବ୍ୟାଙ୍କର ଗୋପନୀୟ ବ୍ୟବସାୟିକ ରଣନୀତି ଓ ବଜାରକୁ ପ୍ରଭାବିତ କରିପାରୁଥିବା ସମ୍ବେଦନଶୀଳ ତଥ୍ୟ ବାହାରକୁ ଲିକ୍ ହୋଇଥିବା ଅଭିଯୋଗ ଆସିଛି। ଏହି ମାମଲାରେ ବ୍ୟାଙ୍କର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏନେଇ ବ୍ୟାଙ୍କ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ଜାରି ରହିଛି।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ବ୍ୟାଙ୍କର କିଛି ବରିଷ୍ଠ ଅଧିକାରୀଙ୍କ ମନରେ ଗୋପନୀୟ ତଥ୍ୟ ଲିକ୍ ହେଉଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ମାମଲାର ଗମ୍ଭୀରତାକୁ ଦେଖି ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ଦୁଇ ଜଣ ବରିଷ୍ଠ ଅଧିକାରୀ ବ୍ୟାଙ୍କର ବ୍ୟବସାୟିକ ଯୋଜନା ଏବଂ ବଜାର ସମ୍ପର୍କିତ ସମ୍ବେଦନଶୀଳ ସୂଚନା ବାହାର ଲୋକଙ୍କୁ ଦେଇଥିବା ନେଇ ପ୍ରମାଣ ମିଳିଛି। ତେବେ ଏହି ଅଭିଯୋଗ ଉପରେ ବ୍ୟାଙ୍କ ପକ୍ଷରୁ ଚୂଡ଼ାନ୍ତ ନିଷ୍କର୍ଷ ପ୍ରକାଶ କରାଯାଇନାହିଁ।
ବ୍ୟାଙ୍କର ତଦନ୍ତ ଏବେ ବି ଜାରି ରହିଛି। ଲିକ୍ ହୋଇଥିବା ତଥ୍ୟର କୌଣସି ଅପବ୍ୟବହାର ହୋଇଛି କି ନାହିଁ, ତାହା ଜାଣିବାକୁ ତଦନ୍ତକାରୀ ଟିମ୍ ଚେଷ୍ଟା କରୁଛି। ଚଳିତ ବର୍ଷ ଆରମ୍ଭରେ ତଦନ୍ତ ସମ୍ପର୍କିତ ରିପୋର୍ଟ ବ୍ୟାଙ୍କର ବରିଷ୍ଠ ପରିଚାଳନା ମଣ୍ଡଳୀ ଏବଂ ବୋର୍ଡର କିଛି ସଦସ୍ୟଙ୍କୁ ଜଣାଯାଇଥିବା ରିପୋର୍ଟରେ କୁହାଯାଇଛି। ସମ୍ପୃକ୍ତ ଦୁଇ ଅଧିକାରୀଙ୍କୁ ମଧ୍ୟ ତଦନ୍ତର ଫଳାଫଳ ସମ୍ପର୍କରେ ଅବଗତ କରାଯାଇଛି। କିନ୍ତୁ ସେମାନଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ, ତାହା ସ୍ପଷ୍ଟ ହୋଇନାହିଁ।
HDFC Bankର ମୁଖପାତ୍ର କହିଛନ୍ତି ଯେ, ବ୍ୟାଙ୍କର ନୀତି ଅନୁଯାୟୀ ସମସ୍ତ ତଥ୍ୟ ସଂଗ୍ରହ ଓ ଯାଞ୍ଚ ପାଇଁ ଆଭ୍ୟନ୍ତରୀଣ ସମୀକ୍ଷା ଚାଲିଛି। ତଦନ୍ତ ଶେଷ ହେବା ପରେ ମିଳିଥିବା ତଥ୍ୟ ଆଧାରରେ ଉଚିତ ପଦକ୍ଷେପ ନିଆଯିବ। ତେବେ ଏହି ମାମଲାର ନିଷ୍କର୍ଷ କିମ୍ବା ଅଧିକାରୀଙ୍କ ନାମ ଉପରେ ବ୍ୟାଙ୍କ କୌଣସି ମତ ଦେଇନାହିଁ।
ଅନ୍ୟପଟେ, ବ୍ୟାଙ୍କର ନୂଆ ସିଇଓ ଅନୂପ ବାଗଚୀଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ଆହ୍ୱାନ ହୋଇପାରେ। ଅକ୍ଟୋବର ୨୭ରୁ ସେ HDFC Bankର ସିଇଓ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ସମୟରେ ବ୍ୟାଙ୍କର ସେୟାର ମୂଲ୍ୟରେ ଚଳିତ ବର୍ଷ ପ୍ରାୟ ୨୮ ପ୍ରତିଶତ ହ୍ରାସ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏଭଳି ସ୍ଥିତିରେ ବ୍ୟାଙ୍କର ଭାବମୂର୍ତ୍ତି, ନିୟମପାଳନ ଓ ନିବେଶକଙ୍କ ଭରସା ବଜାୟ ରଖିବା ନୂଆ ସିଇଓଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।