ନୂଆଦିଲ୍ଲୀ: ଦିଲ୍ଲୀରେ ଏବେଠାରୁ ପ୍ରଦୂଷଣକୁ ନେଇ ବଢ଼ିଲାଣି ଚିନ୍ତା। ଶୀତ ଋତୁ ଆସିବା ପୂର୍ବରୁ ବାୟୁର ମାନ ଖରାପ ହେବାରୁ ସରକାର GRAP-1 ଲାଗୁ କରିଛନ୍ତି। ବୁଧବାର ସକାଳ ୯ଟାରେ ଦିଲ୍ଲୀର AQI ୨୩୩ ରେକର୍ଡ କରାଯାଇଛି। ଏହା ‘ଖରାପ’ ବର୍ଗରେ ରହିଥିବାରୁ ଯାନବାହନ, ନିର୍ମାଣ କାର୍ଯ୍ୟ ଓ ଅନ୍ୟ ପ୍ରଦୂଷଣକାରୀ କାର୍ଯ୍ୟକଳାପ ଉପରେ ନଜର କଡ଼ାକଡ଼ି କରାଯିବ।
କ’ଣ ଏହି GRAP?
ଦିଲ୍ଲୀ-ଏନ୍ସିଆର୍ରେ ବାୟୁ ପ୍ରଦୂଷଣ ବଢ଼ିଲେ ତାହାକୁ ନିୟନ୍ତ୍ରଣ କରିବା ପାଇଁ GRAP ଲାଗୁ କରାଯାଏ। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅନୁସାରେ ଏହାର ବିଭିନ୍ନ ପର୍ଯ୍ୟାୟ ରହିଛି। ପ୍ରଦୂଷଣର ସ୍ତର ବଢ଼ିବା ସହିତ କଟକଣା ମଧ୍ୟ କଡ଼ାକଡ଼ି ହୋଇଥାଏ।
- GRAP-1: AQI ୨୦୧ରୁ ୩୦୦ — ଖରାପ
- GRAP-2: AQI ୩୦୧ରୁ ୪୦୦ — ଅତି ଖରାପ
- GRAP-3: AQI ୪୦୧ରୁ ୪୫୦ — ଗମ୍ଭୀର
- GRAP-4: AQI ୪୫୦ରୁ ଅଧିକ — ଅତ୍ୟନ୍ତ ଗମ୍ଭୀର
ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିର୍ସାଙ୍କ ସୂଚନା ଅନୁସାରେ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପାର୍କିଂ ଚାର୍ଜ ଦୁଇଗୁଣ କରିବାକୁ ନିଷ୍ପତ୍ତି ହୋଇଛି। ମେଟ୍ରୋ ପାର୍କିଂ ସୁବିଧା ଏଥିରୁ ବାଦ୍ ପଡ଼ିବ। ଏହାସହ ନଭେମ୍ବର ୧ରୁ ବୈଧ PUC ସାର୍ଟିଫିକେଟ୍ ନଥିବା ଗାଡ଼ିକୁ ଇନ୍ଧନ ନଦେବାକୁ ଘୋଷଣା କରାଯାଇଛି। ଗାଡ଼ିରୁ ବାହାରୁଥିବା ଧୂଆଁ କମାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଅନ୍ୟପଟେ, ହୋଟେଲ, ରେଷ୍ଟୁରାଣ୍ଟ ଓ ରାସ୍ତାକଡ଼ ଖାଦ୍ୟ ଦୋକାନରେ ତନ୍ଦୁର ପାଇଁ କୋଇଲା ଓ କାଠ ଜାଳିବା ଉପରେ କଟକଣା ଲଗାଯିବ। ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବାକୁ ପଡ଼ିବ। ସାଧାରଣ ବିଦ୍ୟୁତ୍ ଯୋଗାଣ ସମୟରେ ଡିଜେଲ୍ ଜେନେରେଟର ଚଲାଇବାକୁ ମଧ୍ୟ ଅନୁମତି ରହିବ ନାହିଁ।
ଧୂଳି ନିୟନ୍ତ୍ରଣ ପାଇଁ ଦିଲ୍ଲୀରେ ୬୦୮ଟି ଆଣ୍ଟି-ସ୍ମଗ୍ ଗନ୍ ଓ ୧,୧୫୦ଟି ମିଷ୍ଟ୍ ସ୍ପ୍ରେ ୟୁନିଟ୍ ଲଗାଯାଇଥିବା ଦିଆଯାଇଥିବା ସୂଚନାରେ କୁହାଯାଇଛି। ନିର୍ମାଣସ୍ଥଳରୁ ଧୂଳି ଉଡ଼ିବା ଉପରେ ନଜର ରଖିବାକୁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ମଧ୍ୟ ସ୍ଥାପନ କରାଯାଇଛି। ଖୋଲା ସ୍ଥାନରେ ଅଳିଆ ଜାଳିବା ଏବଂ ନିର୍ମାଣ ଓ ଭଙ୍ଗାଭଙ୍ଗି କାମରୁ ସୃଷ୍ଟି ହେଉଥିବା ଧୂଳିକୁ ରୋକିବାକୁ ପଦକ୍ଷେପ ନିଆଯିବ।
ପ୍ରଦୂଷଣର ଉତ୍ସ ଚିହ୍ନଟ କରିବା ପାଇଁ ସରକାର IIT ମାଡ୍ରାସ୍ ସହ କାମ କରୁଛନ୍ତି। ଏହାସହ IIT କାନପୁର ସହଯୋଗରେ କ୍ଲାଉଡ୍ ସିଡିଂ ବା କୃତ୍ରିମ ବର୍ଷା ନେଇ ଗବେଷଣା ଚାଲିଛି। ଲୋକଙ୍କୁ କାର୍ପୁଲିଂ କରିବା, ଅଳିଆ ନଜାଳିବା ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ କରିବାକୁ ସରକାର ଅପିଲ୍ କରିଛନ୍ତି।