ଭାରତୀୟ କ୍ରିକେଟ୍ରେ ଏବେ ଚର୍ଚ୍ଚାରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲ୍ ଓ ବୟସ ଭିତ୍ତିକ କ୍ରିକେଟ୍ରେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ହୋଇଥିବା ଏହି ୧୫ ବର୍ଷୀୟ ଖେଳାଳିଙ୍କୁ ନେଇ ପ୍ରଶଂସକଙ୍କ ଆଶା ବଢ଼ିଛି। କିନ୍ତୁ ଭାରତୀୟ ସିନିୟର ଦଳରେ ତାଙ୍କୁ ନିୟମିତ ସୁଯୋଗ ମିଳିବା ଏବେ ମଧ୍ୟ ଅପେକ୍ଷାର ବିଷୟ। ଏହି ପରିସ୍ଥିତିରେ ଯୁବ ବ୍ୟାଟରଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ଶ୍ରେୟସ ଆୟର।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ପୂର୍ବରୁ ଆୟର କହିଛନ୍ତି ଯେ, ବୈଭବଙ୍କ ପାଖରେ ନିଜକୁ ପ୍ରମାଣ କରିବା ପାଇଁ ଅନେକ ସମୟ ରହିଛି। ତେଣୁ ତୁରନ୍ତ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନେଇ ଚାପ ନେବା ଉଚିତ୍ ନୁହେଁ। ନିଜ ପ୍ରସ୍ତୁତି ଉପରେ ଭରସା ରଖିବା ସହ ସୁଯୋଗ ମିଳିଲେ ତାହାର ଭରପୂର ଉପଯୋଗ କରିବା ଦରକାର।
ଆୟରଙ୍କ କହିବା ଅନୁସାରେ, ଦଳରେ ଥିବା ପ୍ରତିଭାଶାଳୀ ଖେଳାଳିଙ୍କୁ ଡ୍ରେସିଂ ରୁମ୍ରେ ଖୁସି ଓ ସକାରାତ୍ମକ ରହିବା ଜରୁରୀ। ସେ ଏବେ ବହୁତ ଛୋଟ ଏବଂ ଆଗକୁ ଅନେକ ସୁଯୋଗ ପାଇପାରିବେ।
ସେ କହିଛନ୍ତି, ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି। ସେମାନେ ବିଶ୍ୱକପ୍ ଜିତିଥିବା ଦଳର ଅଂଶ ମଧ୍ୟ ରହିଛନ୍ତି। ଏଭଳି ସ୍ଥିତିରେ ବୈଭବଙ୍କ ପାଇଁ ତୁରନ୍ତ ଓପନିଂ ସ୍ଥାନ ହାସଲ କରିବା ସହଜ ନୁହେଁ।
ଆୟର ଆହୁରି କହିଛନ୍ତି ଯେ, ବୈଭବଙ୍କୁ ସୁଯୋଗ ନିଶ୍ଚିତ ମିଳିବ। ହେଲେ ଏଥିପାଇଁ ତାଙ୍କୁ ନିଜ ପ୍ରକ୍ରିୟା ଓ ଅଭ୍ୟାସରେ ନିରନ୍ତରତା ରଖିବାକୁ ପଡ଼ିବ।
ସୂଚନାଯୋଗ୍ୟ, ବୈଭବ ଏପର୍ଯ୍ୟନ୍ତ ୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହି ସବୁ ମ୍ୟାଚ୍ ବିଦେଶ ମାଟିରେ ଖେଳାଯାଇଥିବା ବେଳେ ଭାରତରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବାର ସୁଯୋଗ ତାଙ୍କୁ ଏଯାଏଁ ମିଳିନାହିଁ। ଏବେ ତାଙ୍କ ନଜର ଆଗାମୀ ସୁଯୋଗ ଉପରେ ରହିଛି।