ନୂଆଦିଲ୍ଲୀ: ଭାରତର ଆଭ୍ୟନ୍ତରୀଣ ମାମଲାରେ ଆମେରିକା କୌଣସି ହସ୍ତକ୍ଷେପ କରିବ ନାହିଁ । ଭାରତରେ ହେଉଥିବା ବିରୋଧ ଏବଂ ଆନ୍ଦୋଳନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଆମେରିକା । ଏ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ କହିଛନ୍ତି । ଏହା ସହିତ ରୁବିୟୋ ଜାତିସଂଘର ମାନବାଧିକାର ବିଶେଷଜ୍ଞଙ୍କ ମତକୁ ମଧ୍ୟ ବିରୋଧ କରିଛନ୍ତି ।
ଆମେରିକା ବୈଦେଶିକ ମନ୍ତ୍ରୀ ରୁବିୟୋ ବର୍ତ୍ତମାନ ଭାରତ ଗସ୍ତରେ ରହିଛନ୍ତି । ଦୁଇ ଦିନିଆ ଗସ୍ତରେ ସେ ଗୁଜୁରାଟର ଜାମନଗରରେ ଅଛନ୍ତି । ଭାରତରେ ହେଉଥିବା ବିରୋଧ ଉପରେ ଜାତିସଂଘର ଆଲୋଚନା ଉପରେ ପଚାରିଯାଇଥିବା ପ୍ରଶ୍ନରେ କହିଛନ୍ତି ଯେ ଆମେରିକା ଭାରତର ଆଭ୍ୟନ୍ତରୀଣ ମାମଲାରେ କୌଣସି ହସ୍ତକ୍ଷେପ କରିବ ନାହିଁ । ଏହା ଏକ ଗଣତନ୍ତ୍ର ଏବଂ ଏଠାରେ ନିର୍ବାଚନ ହୁଏ । ତେଣୁ ସେ ଭାରତର ଘରୋଇ ରାଜନୈତିକ ମାମଲାରେ କୌଣସି ଟିପ୍ପଣୀ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ।
ରୁବିୟୋ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏବଂ ହିଂସା ମଧ୍ୟରେ ପାର୍ଥକ୍ୟ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମତାମତ ପ୍ରକାଶ ପାଇବା ଏବଂ ବିଭିନ୍ନ ପ୍ରକାରର ମତ ସାମ୍ନାକୁ ଆସିବା, ରାଜନୈତିକ ଆଲୋଚନା ବା ବିତର୍କ ଚାଲିଥିବାର ସଙ୍କେତ ଅଟେ । କେବଳ ଭାରତ ବିଷୟରେ କହୁନାହାନ୍ତି, ବରଂ ବିଶ୍ୱର ଯେକୌଣସି ଦେଶରେ ଲୋକମାନଙ୍କ ଦ୍ୱାରା ମତାମତ ପ୍ରକାଶ ପାଇବା ପ୍ରସଙ୍ଗକୁ ଏଠାରେ ଉଲ୍ଲେଖ କରୁଛନ୍ତି।
ମାର୍କୋ ରୁବିଓ କହିଛନ୍ତି, ସେ ୟୁରୋପରେ ହେଉଥିବା "ମୁଁ ୟୁରୋପରେ ଦେଖାଯାଉଥିବା ସେହି ପ୍ରକାରର ଦଙ୍ଗା ବିଷୟରେ କହୁନାହିଁ, ଯେଉଁଠାରେ ଲୋକମାନେ ଭଙ୍ଗାରୁଜା କରନ୍ତି, ଘର ଭିତରେ ପଶି ତାହାକୁ ନଷ୍ଟ କରନ୍ତି ଏବଂ ସେଥିରେ ନିଆଁ ଲଗାଇ ଦିଅନ୍ତି। କିନ୍ତୁ, ଯେତେବେଳେ ଲୋକମାନେ ନିଜର ମତାମତ ପ୍ରକାଶ କରିବାକୁ ବାହାରକୁ ଆସନ୍ତି, ତେବେ ଏହା ସୂଚିତ କରେ ଯେ ସେଠାରେ ରାଜନୈତିକ ଆଲୋଚନା ଏବଂ ବିଭିନ୍ନ ମତ ପାଇଁ ସ୍ଥାନ ରହିଛି।" କ୍ୟୁବାକୁ ଉଦାହରଣ ଭାବେ ନେଇ ରୁବିଓ କହିଛନ୍ତି ଯେ, ସେହି ଦେଶରେ ବିରୋଧୀ ଦଳର ସଦସ୍ୟମାନେ କେବଳ ନିଜର ମତାମତ ପ୍ରକାଶ କରିଥିବା କାରଣରୁ କାରାଦଣ୍ଡ ଭୋଗିପାରନ୍ତି, ଦମନର ଶିକାର ହୋଇପାରନ୍ତି କିମ୍ବା ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇପାରନ୍ତି ।