ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ତୃତୀୟ ଦିବସରେ ପଦକ ବର୍ଷା ହୋଇଛି । ପ୍ରତିଟି ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଶଟ୍ ପୁଟ୍ ଇଭେଣ୍ଟରେ ଭାରତୀୟ ଦଳ ପଦକ ପୋଛି ନେଇଥିବାବେଳେ ତୀର ଚାଳନାରେ ଚମକିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ ।
ଏସୀୟ କ୍ରୀଡ଼ାରେ ଓଡ଼ିଶାର ପାୟଲ ନାଗ୍ ଏବଂ ଶୀତଲ ଦେବୀଙ୍କ ଯୋଡ଼ି ଆର୍ଚେରୀ ପାରା କମ୍ପାଉଣ୍ଡ ମହିଳା ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଉଭୟ ସ୍ୱର୍ଣ୍ଣ ପଦକରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମହିଳା ପାରା-କମ୍ପାଉଣ୍ଡ ଡବଲ୍ସ ଇଭେଣ୍ଟରେ ସେମାନେ ଚୀନ୍ଠାରୁ ୧୫୦–୧୪୧ ପଏଣ୍ଟରେ ପରାସ୍ତ ହୋଇଛନ୍ତି । ଏହି ପରାଜୟ ପରେ, ଶୀତଲ ଏବଂ ପାୟଲଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ଶଟ୍ ପୁଟରେ ପଦକ ବର୍ଷା
ପୁରୁଷ F53 ଶଟ୍ ପୁଟ୍ ଇଭେଣ୍ଟରେ ଆୟୁଷ ବର୍ମା ଆଜିର ଦିନର ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିଲେ । ନିଜର ପଞ୍ଚମ ପ୍ରୟାସରେ ୮.୧୬ ମିଟର ଦୂରକୁ ସଟ୍ ପୁଟ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ପୁରୁଷ F46 ଶଟ୍ ପୁଟ୍ ଇଭେଣ୍ଟରେ ଭାରତ ତିନୋଟି ଯାକ ପଦକ ପୋଛି ନେଇଛି । ସଚିନ ଖିଲାରୀ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ମହମ୍ମଦ ୟାସର ରୌପ୍ୟ ଏବଂ ପରବୀନ କାଂସ୍ୟ ପଦକ ଜିତିଛନ୍ତି ।
ସେହିପରି ମହିଳା F34 ଶଟ୍ ପୁଟ୍ ଇଭେଣ୍ଟରେ ଭାଗ୍ୟଶ୍ରୀ ଯାଦବ ରୌପ୍ୟ ପଦକ ଜିତିବା ସହ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୮.୧୯ ମିଟର ଦୂରକୁ ଗୁଳା ଫିଙ୍ଗି ଭାଗ୍ୟଶ୍ରୀ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି।
T64 ଉଚ୍ଚ ଡିଆଁ ଇଭେଣ୍ଟରେ ଦୁଇଟି ପଦକ ହାସଲ କରିଛି । ପ୍ରବୀଣ କୁମାର ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ବଣ୍ଟି ସେହି ସମାନ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି।
ଅନୁଭବ ଚୌଧୁରୀ ପୁରୁଷଙ୍କ ୧୦୦ ମିଟର T35 ଦୌଡ଼ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅନୁଭବ ୧୨.୭୨ ସେକେଣ୍ଡରେ ଦୌଡ଼ ସମ୍ପୂର୍ଣ୍ଣ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ଅଟେ।
ଭାରତ ବର୍ତ୍ତମାନ ସୁଦ୍ଧା ମୋଟ ୪୬ଟି ପଦକ ହାସଲ କରିଛି, ଯେଉଁଥିରେ ୧୨ଟି ସ୍ୱର୍ଣ୍ଣ ପଦକ ଅନ୍ତର୍ଭୁକ୍ତ। ପଦକ ତାଲିକାରେ ଭାରତ ବର୍ତ୍ତମାନ ୫ମ ସ୍ଥାନରେ ରହିଛି।