ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୬-୨୭ ମସୁମର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ରେ ଉତ୍ତର ପ୍ରଦେଶ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗୋଆ ବିପକ୍ଷ ମ୍ୟାଚ୍ରେ ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ୨୦୨ ରନ୍ରେ ଅଲଆଉଟ୍ ହୋଇଯାଇଛି। ତେବେ ଦଳର ଏହି ସ୍କୋର ମଧ୍ୟ ସମ୍ଭବ ହୋଇପାରି ନଥାନ୍ତା, ଯଦି ଷ୍ଟାର୍ ବ୍ୟାଟର ରିଙ୍କୁ ସିଂଙ୍କ ବ୍ୟାଟ୍ରୁ ଏକ ଦମଦାର ଶତକୀୟ ଇନିଂସ ନବାହାରି ଥାଆନ୍ତା। ରିଙ୍କୁ ଏକାକୀ ଅପରାଜିତ ୧୧୮ ରନ୍ ସଂଗ୍ରହ କରିଥିବା ବେଳେ ଏହା ଚଳିତ ରଣଜୀ ଋତୁରେ ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ।
ମ୍ୟାଚ୍ରେ ଉତ୍ତର ପ୍ରଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୩୩ ରନ୍ରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ କ୍ରିଜ୍କୁ ଆସିଥିଲେ ରିଙ୍କୁ ସିଂ। ସେ ମାଧବ କୌଶିକଙ୍କ ସହ ମିଶି ଦଳର ସ୍ଥିତି ସମ୍ଭାଳିବା ସହ ୫୭ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ଅନ୍ୟ କୌଣସି ବ୍ୟାଟର କ୍ରିଜ୍ରେ ବେଶି ସମୟ ତିଷ୍ଠି ପାରିନଥିଲେ। ୟୁପିର ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇନଥିଲେ।
ଏସବୁ ସତ୍ତ୍ୱେ ଅନ୍ୟପଟେ ଏକାକୀ ଲଢ଼େଇ ଜାରି ରଖିଥିଲେ ରିଙ୍କୁ ସିଂ। ସେ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ଅପରାଜିତ ୧୧୮ ରନ୍ର ଦମଦାର ଇନିଂସ ଖେଳି ଦଳକୁ ୨୦୨ ରନ୍ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।
ଟେଷ୍ଟ ଦଳରେ ସ୍ଥାନ ପାଇଁ ବଢ଼ିଲା ଦାବି
ଭାରତୀୟ ଦଳ ପାଇଁ ୨ଟି ଦିନିକିଆ ଏବଂ ୪୮ଟି ଟି-୨୦ ମ୍ୟାଚ୍ ଖେଳିସାରିଥିବା ରିଙ୍କୁ ସିଂ ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିନାହାନ୍ତି। ନିକଟ ଅତୀତରେ ସୀମିତ ଓଭର କ୍ରିକେଟରେ ମଧ୍ୟ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳୁଥିବା ବେଳେ, ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ଏହି କ୍ରମାଗତ ଦ୍ୱିତୀୟ ଶତକ ଚୟନକର୍ତ୍ତାଙ୍କ ନଜର ଆକର୍ଷଣ କରିବାରେ ନିଶ୍ଚିତ ସହାୟକ ହେବ।
ଗୋଆ ପକ୍ଷରୁ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୟଶ କାସବଣକର ସର୍ବାଧିକ ୫ଟି ୱିକେଟ୍ ହାସଲ କରିଛନ୍ତି। ସେ କରଣ ଶର୍ମା (୦), ଆରାଧ୍ୟ ଯାଦବ (୧), ଜୀଶାନ ଅନସାରୀ (୨), କାର୍ତ୍ତିକ ଯାଦବ (୬) ଏବଂ ୟଶ ଦୟାଲ (୦)ଙ୍କୁ ଆଉଟ୍ କରି ୟୁପିର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଏହାବାଦ୍ ରୁଥ୍ବିକ ନାଇକ ୨ଟି ଏବଂ ଶୁଭମ ତାରୀ ଓ ଲଲିତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଆ ବିନା କୌଣସି ୱିକେଟ୍ ହରାଇ ୪୩ ରନ୍ ସଂଗ୍ରହ କରିନେଇଛି। ସୁୟଶ ପ୍ରଭୁଦେଶାଇ ୧୨ ରନ୍ ଏବଂ ଶିବେନ୍ଦ୍ର ୩୧ ରନ୍ କରି ଅପରାଜିତ ଅଛନ୍ତି। ଗୋଆ ଏବେ ବି ଉତ୍ତର ପ୍ରଦେଶଠାରୁ ୧୫୯ ରନ୍ ପଛରେ ରହିଛି।