ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ଏସୀଆନ୍ ଗେମ୍ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରି ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ଓ ମହିଳା ଖେଳାଳୀମାନଙ୍କୁ ଆମ ଯୁବବର୍ଗର ପ୍ରକୃତ ଆଇକନ୍ (ICON) ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ।
ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଦଳର ଖେଳାଳୀ, କୋଚ୍ ଏବଂ ସହଯୋଗୀ କର୍ମଚାରୀମାନଙ୍କୁ ପ୍ରଶଂସା କରିବା ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟଯେ ଏସୀଆନ୍ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ଉଭୟ ହକି ଦଳ ସ୍ୱର୍ଣ୍ଣ ପଦକ ଅର୍ଜନ କରିବା ସହ ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲମ୍ପିକ୍ସ ପାଇଁ ସ୍ଥାନ ପକ୍କା କରିଛନ୍ତି।
ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି। ସମୁଦାୟ ଭାବେ ଭାରତୀୟ ପୁରୁଷ ହକି ଟିମ୍ ଓ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ଏବଂ ମହିଳା ହକି ଟିମ୍ ପାଇଁ ୨ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଉଭୟ ପୁରୁଷ ଓ ମହିଳା ଦଳଙ୍କୁ ଓଡ଼ିଶା ପକ୍ଷରୁ ୫.୬୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି ।
ଏହା ସହିତ ଭାରତୀୟ ଦଳର ଓଡ଼ିଆ ଖେଳାଳୀ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କର ଅସାଧାରଣ ଯୋଗଦାନ ପାଇଁ ସ୍ୱତନ୍ତ୍ର ଭାବେ ୨୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସମସ୍ତ ଖେଳାଳୀ ଆମ ଯୁବବର୍ଗର ପ୍ରକୃତ ଆଇକନ୍ । ସେମାନେ ସମଗ୍ର ଯୁବ ସମାଜର ଆଦର୍ଶ ତଥା ଭାରତର ଗର୍ବ ଓ ଗୌରବ। ୪୪ ବର୍ଷର ଦୀର୍ଘ ଅନ୍ତରାଳ ପରେ ମହିଳା ଟିମ୍ର ଏହି ସ୍ୱର୍ଣ୍ଣ ବିଜୟ ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋ ନିଜର ଅଦମ୍ୟ ପ୍ରତିଭା ଓ ପରିଶ୍ରମ ବଳରେ ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମହାନ କବି ସଚ୍ଚି ରାଉତରାୟଙ୍କ କବିତାକୁ ଉଦ୍ଧାର କରି କହିଥିଲେ ଯେ, ପ୍ରତିଭାବାନ୍ ବ୍ୟକ୍ତିମାନେ ଯେଉଁ ମାଟିରେ ଜନ୍ମ ନିଅନ୍ତି, ସେ ମାଟି ନିଶ୍ଚିତ ଭାବରେ ବିଶ୍ୱସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥାଏ। ଓଡ଼ିଶା ସରକାର ଜାତୀୟ ହକି ଦଳର ଅଫିସିଆଲ୍ ସ୍ପନ୍ସର୍ ଭାବେ ନିଜର ପ୍ରତିବଦ୍ଧତାକୁ ଆଗକୁ ମଧ୍ୟ ଜାରୀ ରଖିବେ। ୨୦୩୬ ଅଲମ୍ପିକ୍ସ ଗେମ୍ସକୁ ଭାରତରେ କରିବା ପାଇଁ ପ୍ରସ୍ତାବ ରହିଛି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ, ଓଡ଼ିଶାରେ ନିଶ୍ଚିତ ଭାବରେ ହକି ଇଭେଣ୍ଟ ଆୟୋଜିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପୋଷଣ କରିଛନ୍ତି।
ସଲିମା ଟେଟେ ଏବଂ ହରମନପ୍ରୀତ ସିଂଙ୍କ ଅସାଧାରଣ ନେତୃତ୍ୱକୁ ସେ ବହୁତ ପ୍ରଶଂସା କରିଛନ୍ତି। ସଲିମା ଟେଟେ ସ୍ମାର୍ଟ ଏବଂ ଆଧୁନିକ ସ୍ପୋର୍ଟ୍ସ କ୍ୟାପ୍ଟେନ୍ସିର ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରି ନିଜର ଦଳକୁ ସଶକ୍ତ କରିଛନ୍ତି। ସେହିପରି କ୍ୟାପ୍ଟେନ୍ ହରମନପ୍ରୀତ ସିଂ ନିଜର ଦୃଢ଼ ସଂକଳ୍ପ ଦ୍ୱାରା ଦଳକୁ କ୍ରମାଗତ ଦ୍ୱିତୀୟ ଥର ଏସୀଆନ୍ ଗେମ୍ସ ଗୋଲ୍ଡ ମେଡାଲ ଦିଗକୁ ନେଇଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଖେଳାଳୀମାନଙ୍କୁ ଉତ୍ସାହିତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଏସୀଆନ୍ ଗେମ୍ସର ପଦକ ବିଜେତାମାନଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରି ସେମାନଙ୍କ ହୋସଲା ବଢ଼ାଇଛନ୍ତି। ‘ଖେଲୋ ଇଣ୍ଡିଆ’ ମିଶନ ଦେଶର ପ୍ରତ୍ୟେକ କୋଣରୁ ଯୁବ ପ୍ରତିଭାମାନଙ୍କୁ ସମ୍ମୁଖକୁ ଆଣିବାରେ ଏକ ବଡ଼ ମାଧ୍ୟମ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର କେବଳ ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିକୁ ସୀମିତ ନରଖି ବ୍ଲକ୍ ସ୍ତରରେ ୪,୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଷ୍ଟାଡିଅମ ନିର୍ମାଣ କରୁଛନ୍ତି। ଗୋଠପାଟଣାରେ ନିର୍ମିତ ହେବାକୁ ଥିବା ୧,୦୦୦ କୋଟି ଟଙ୍କାର ଗ୍ଲୋବାଲ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଥିବା ୨୦୨୮ ୱାର୍ଲ୍ଡ ଇନ୍ଡୋର୍ ଆଥ୍ଲେଟିକ୍ସ ଚମ୍ପିଆନ୍ସିପ୍ ଓଡ଼ିଶାକୁ ବିଶ୍ୱର ପ୍ରମୁଖ ସ୍ପୋର୍ଟିଂ ହବ୍ରେ ପରିଣତ କରିବ।
କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଓଡ଼ିଶାରେ ହକି କେବଳ ଗୋଟିଏ ଖେଳ ନୁହେଁ, ଏହା ହେଉଛି ଆମର ଆବେଗ, ଏବଂ ଅସ୍ମିତାର ପ୍ରତୀକ। ଭାରତୀୟ ପୁରୁଷ ଓ ମହିଳା ଦଳ ଏସୀଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ସମଗ୍ର ଦେଶ ତଥା ଓଡ଼ିଶା ମାଟିର ନାମ ବିଶ୍ୱ ଦରବାରରେ ମହିମାନ୍ୱିତ କରିଛନ୍ତି। ବିଶେଷ କରି ଓଡ଼ିଆ ପୁଅ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନାଝିଅ ସୁନେଲିତା ଟପ୍ପୋଙ୍କ ଆଶାତୀତ ପ୍ରଦର୍ଶନ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ହଜାର ହଜାର ଯୁବ କ୍ରୀଡ଼ାବିତ୍ଙ୍କୁ ସ୍ୱପ୍ନ ଦେଖିବାକୁ ଏବଂ ଆନ୍ତର୍ଜାତିକ ମଞ୍ଚରେ ନିଜକୁ ପ୍ରତିପାଦିତ କରିବାକୁ ଅପୂର୍ବ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଥିଲେ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ହକି ଇଣ୍ଡିଆର ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ କ୍ରୀଡ଼ା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ୟେଦୁଲ୍ଲା ବିଜୟ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।