ଇନ୍ଦୋର: ରବିବାର ଇନ୍ଦୋରର ପ୍ରସିଦ୍ଧ ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ତୃତୀୟ ଟି-୨୦ ଆନ୍ତର୍ଜାତକ ମ୍ୟାଚ୍ରେ ଭାରତୀୟ ଦଳ ୧୪ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ଗତ ମ୍ୟାଚ୍ର ପରାଜୟର ପ୍ରତିଶୋଧ ନେଇ ସିରିଜରେ ନିଜ ସ୍ଥିତି ମଜବୁତ କରିଛି। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୨୩ ରନ୍ କରିଥିଲା ।ଜବାବରେ କ୍ୟାରିବିଆନ୍ ଦଳ ୨୦୯ ରନ୍ କରିବାକୁ ସକ୍ଷମ ହୋଇଛି। ଏହି ରୋମାଞ୍ଚକର ମ୍ୟାଚ୍ ଜିତିବା ସହ ଭାରତ ମ୍ୟାଚ୍ ବିଶିଷ୍ଟ ପାଞ୍ଚ ଟି--୨୦ ସିରିଜ୍ରେ ୨-୧ରେ ଅଗ୍ରଣୀ ହାସଲ କରିଛି।
ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଅଧିନାୟକ ଶାଇ ହୋପ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ସଞ୍ଜୁ ସାମସନ୍ (୩ ରନ୍) ଶୀଘ୍ର ଆଉଟ୍ ହୋଇଯିବା ପରେ ଇଶାନ କିଶନ ଏବଂ ଅଭିଷେକ ଶର୍ମା ପାଳିକୁ ସମ୍ଭାଳିଥିଲେ। ଅଭିଷେକ ଶର୍ମା ମାତ୍ର ୩୦ ବଲ୍ରୁ ୬୯ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ସେ T20I କ୍ରିକେଟ୍ରେ ଦ୍ରୁତତମ ୨୦୦୦ ରନ୍ ପୂରଣ କରି ଏକ ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ଏକ ସମୟରେ ଭାରତୀୟ ସ୍କୋର ୨୫୦ ଅତିକ୍ରମ କରିବ ବାଟ ପରିଷ୍କାର ଥିଲେ ହେଁ, ଶେଷ ଆଡ଼କୁ କ୍ରମାଗତ ୱିକେଟ୍ ପତନ ଯୋଗୁଁ ଭାରତୀୟ ଦଳ ଶେଷ ବଲ୍ରେ ଅଲ୍ଆଉଟ୍ ହୋଇ ୨୨୩ ରନ୍ କରିଥିଲା।
୨୨୪ ରନ୍ର ବଡ଼ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳର ଆରମ୍ଭ ମଧ୍ୟ ଖରାପ ରହିଥିଲା। ଦ୍ରୁତ ବୋଲର ଅର୍ଶଦୀପ ସିଂହ ପ୍ରାରମ୍ଭିକ ଝଟକା ଦେଇ ଅଧିନାୟକ ଶାଇ ହୋପ୍ଙ୍କୁ ଶୀଘ୍ର ପାଭିଲିୟନ୍ ପଠାଇ ଦେଇଥିଲେ। ଏହାପରେ ଶେମରନ୍ ହେଟମାୟର ଏବଂ ଶେରଫେନ୍ ରଦରଫର୍ଡ କିଛି ଦର୍ଶନୀୟ ସଟ୍ ଖେଳି ଦଳକୁ ବିଜୟ ନିକଟତର କରାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ।
ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଦଳ ନିର୍ଦ୍ଧାରିତ ଓଭରରେ ୨୦୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ଏବଂ ମୟଙ୍କ ଯାଦବ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିବା ବେଳେ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନମନ ଧୀର 'ଏକ୍ସ-ଫ୍ୟାକ୍ଟର' ସାବ୍ୟସ୍ତ ହୋଇଥିଲେ।