ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର୍ ଓପନର୍ ସ୍ମୃତି ମନ୍ଧାନାଙ୍କୁ ମିଳିଲା ଗୁରୁ ଦାୟିତ୍ୱ। ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ନୂଆ ଅଧିନାୟକ ଭାବେ ସ୍ମୃତିଙ୍କୁ ନିଯୁକ୍ତ କରାଯାଇଛି।
ମଙ୍ଗଳବାର (ଅକ୍ଟୋବର ୬) ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏହି ଆଧିକାରିକ ଘୋଷଣା କରିଛି। ପୂର୍ବତନ ଅଧିନାୟକ ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।
ସ୍ମୃତି ମନ୍ଧାନାଙ୍କ ସହ ଟି୨୦ (T20I) ଫର୍ମାଟ୍ ପାଇଁ ଶେଫାଳୀ ବର୍ମା ଏବଂ ଦିନିକିଆ (ODI) ପାଇଁ ଦୀପ୍ତି ଶର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ସ୍ମୃତି ପୂର୍ବରୁ ଅନେକ ମ୍ୟାଚ୍ରେ ଭାରତର ନେତୃତ୍ୱ ନେଇ ସାରିଛନ୍ତି। ଏହା ସହିତ ମହିଳା ପ୍ରିମିୟର ଲିଗ୍ (WPL) ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) କୁ ଦୁଇ ଦୁଇ ଥର (୨୦୨୪ ଓ ୨୦୨୬) ଚାମ୍ପିଅନ୍ କରାଇ ନିଜର ଶ୍ରେଷ୍ଠ ଅଧିନାୟକତ୍ୱର ପ୍ରମାଣ ଦେଇ ସାରିଛନ୍ତି।
ତେବେ ଭାରତୀୟ ଦଳର ନୂଆ ଅଧିନାୟକ ଭାବେ ଆସନ୍ତା ଅକ୍ଟୋବର ୧୬ରୁ ଜିମ୍ବାୱେ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଘରୋଇ ସିରିଜ୍ (୩ଟି ଟି୨୦ ଓ ୩ଟି ଦିନିକିଆ) ସ୍ମୃତିଙ୍କର ପ୍ରଥମ ଅଭିଯାନ ହେବ ।