ନୂଆଦିଲ୍ଲୀ: ଯୁବ କ୍ରିକେଟ୍ ପ୍ରତିଭାଙ୍କ ପାଇଁ ଏକ ବଡ଼ ମଞ୍ଚ ରାଇଜିଂ ଷ୍ଟାର୍ସ ଏସିଆ କପ୍। ଏହି ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାରଠାରୁ ଭାରତ ଏ ନିଜର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ରେ ଦଳର ସାମ୍ନା ହେବ ନେପାଳ ସହ। ଏହି ମୁକାବିଲାରେ ଭାରତୀୟ ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ।
ଭାରତ ଏ ଦଳର ନେତୃତ୍ୱ ତିଳକ ବର୍ମାଙ୍କ ହାତରେ ରହିଛି। ଦଳରେ ରିଙ୍କୁ ସିଂହଙ୍କ ଭଳି ଅଭିଜ୍ଞ ଟି-୨୦ ଖେଳାଳିଙ୍କ ସହ ଅନେକ ଉଦୀୟମାନ କ୍ରିକେଟର ସାମିଲ ହୋଇଛନ୍ତି। ଦିନିକିଆ ଫର୍ମାଟ୍ରେ ନିଜ ଦକ୍ଷତା ପ୍ରମାଣ କରିବା ପାଇଁ ବୈଭବ ଓ ଅଭିଷେକଙ୍କ ନିକଟରେ ଏହା ଏକ ଭଲ ସୁଯୋଗ ହେବ।
ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ ନଜର
ମାତ୍ର ୧୫ ବର୍ଷ ବୟସରେ ନିଜ ବ୍ୟାଟିଂର ଯାଦୁ ଦେଖାଇଥିବା ବୈଭବ ସୂର୍ଯ୍ୟବଂଶୀ ଏବେ ଭାରତୀୟ କ୍ରିକେଟ୍ର ଚର୍ଚ୍ଚିତ ଯୁବ ଚେହେରା। ଅଣ୍ଡର-୧୯ ଏବଂ ଭାରତ ଏ ଦଳ ପାଇଁ ତାଙ୍କର ଆକର୍ଷଣୀୟ ପ୍ରଦର୍ଶନ ତାଙ୍କୁ ଚର୍ଚ୍ଚାରେ ରଖିଛି। ଚଳିତ ବର୍ଷ ଶ୍ରୀଲଙ୍କାରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ରେ ସେ ମାତ୍ର ୨୯ ବଲ୍ରୁ ୯୪ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ।
ଏହାବ୍ୟତୀତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିହାର ଦଳର ନେତୃତ୍ୱ ନେବାର ସୁଯୋଗ ମଧ୍ୟ ପାଇଛନ୍ତି। ଏବେ ନେପାଳ ବିପକ୍ଷରେ ତାଙ୍କ ବ୍ୟାଟ୍ରୁ ଆଉ ଏକ ବଡ଼ ଇନିଂସ ଦେଖିବାକୁ ପ୍ରଶଂସକ ଆଶା ରଖିଛନ୍ତି।
ରିଙ୍କୁ ଓ ତିଳକଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମଞ୍ଚ
ଏହି ଦଳରେ ଅଭିଷେକ ଶର୍ମା, ରିଙ୍କୁ ସିଂହ ଓ ତିଳକ ବର୍ମାଙ୍କ ଭଳି ଖେଳାଳି ରହିଛନ୍ତି। ତିଳକ ନିକଟରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦିନିକିଆ ଦଳରେ ସାମିଲ ଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇନଥିଲେ। ଅନ୍ୟପକ୍ଷରେ, ରିଙ୍କୁ ସିଂହଙ୍କ ପାଇଁ ମଧ୍ୟ ନିଜର ଉପଯୋଗିତା ପ୍ରମାଣ କରିବାର ଏହା ଏକ ଭଲ ମଞ୍ଚ। ଦଳରେ ପ୍ରଭସିମରନ ସିଂହ, ଆହତ ସମସ୍ୟାରୁ ଫେରୁଥିବା ହର୍ଷିତ ରାଣା, ପ୍ରିନ୍ସ ଯାଦବ ଏବଂ ସୂର୍ଯ୍ୟାଂଶ ସେଡଗେଙ୍କ ଭଳି ଖେଳାଳି ମଧ୍ୟ ଅଛନ୍ତି। ଘରୋଇ କ୍ରିକେଟ୍ରେ ଭଲ ଫର୍ମରେ ଥିବା ଆୟୁଷ ବଡୋନି ମଧ୍ୟ ନିଜ ପ୍ରଦର୍ଶନ ଜାରି ରଖିବାକୁ ଚାହିଁବେ।
ଭାରତକୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ନେପାଳ
କାଗଜକଲମରେ ଭାରତ ଏ ଦଳ ଅଧିକ ଶକ୍ତିଶାଳୀ ଦେଖାଯାଉଥିଲେ ମଧ୍ୟ ନେପାଳକୁ ହାଲୁକା ଭାବେ ନେବାକୁ ଚାହିଁବ ନାହିଁ। ନେପାଳ ଦଳରେ ସନ୍ଦୀପ ଲାମିଛାନେ, କୁଶଳ ଭୁର୍ତ୍ତେଲ ଓ ସୋମପାଲ କାମୀଙ୍କ ଭଳି ଖେଳାଳି ଅଛନ୍ତି।
ଅଧିନାୟକ ସନ୍ଦୀପ ଲାମିଛାନେଙ୍କ ନେତୃତ୍ୱରେ ନେପାଳ ଦଳ ଶୃଙ୍ଖଳିତ ବୋଲିଂ ଓ ଆକ୍ରମଣାତ୍ମକ ବ୍ୟାଟିଂ ଜରିଆରେ ଭାରତକୁ ଚାପରେ ରଖିବାକୁ ଚେଷ୍ଟା କରିବ। ତେଣୁ ଭାରତୀୟ ଖେଳାଳିଙ୍କୁ ଆତ୍ମବିଶ୍ୱାସ ସହ ମଇଦାନକୁ ଓହ୍ଲାଇବାକୁ ପଡ଼ିବ।
ଭାରତ ଏ ଦଳ
ତିଳକ ବର୍ମା (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂହ, ରିଙ୍କୁ ସିଂହ, କୁମାର କୁଶାଗ୍ର, ସୂର୍ଯ୍ୟାଂଶ ସେଡଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ଅର୍ଶଦ ଖାନ ଓ ଆୟୁଷ ବଡୋନି।