ଚେନ୍ନାଇ: ପୂର୍ବତନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଇଣ୍ଡିଆନ ପ୍ରିମୟର୍ ଲିଗରୁ ଅବସର ନେଥିବା ସୁନିଶ୍ଚିତ ହୋଇସାରିଛି । ତଥାପି ସେ ଆଇପିଏଲ୍ ସହିତ ସମ୍ପର୍କ ଛିନ୍ନ କରି ନାହାଁନ୍ତି । ୨୦୨୭ ଆଇପିଏଲରେ ଧୋନୀଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଚେନ୍ନାଇ ସୁପର କିଙ୍ଗ୍ସ ଧୋନୀଙ୍କୁ ଏକ ନୂତନ ଦାୟିତ୍ୱ ହସ୍ତାନ୍ତର କରିଛି । ଧୋନୀ ଏବେ ସିଏସକେର ମେଣ୍ଟର୍ ଭାବେ ଦାୟିତ୍ୱ ତୁଲାଇବେ । ସିଏସକେ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି ।
ଚେନ୍ନାଇ ସୁପର କିଙ୍ଗସ ଏକ ପୋଷ୍ଟ କରି ସୂଚନା କହିଛି ଯେ ଧୋନୀ ନୂତନ ଭୂମିକା ସହିତ ନୂତନ ଅଧ୍ୟାୟ ଆରମ୍ଭ କରିବେ । ଅର୍ଥାତ ସେ ଆଉ ଖେଳାଳୀ ଭାବରେ ନୁହେଁ ମେଣ୍ଟର୍ ଭାବେ ଦାୟିତ୍ୱ ତୁଲାଇବେ । ଅଗଣିତ ବିଜୟ, କଠିନ ସମୟ ଏବଂ ହୃଦୟରେ ଚିରଦିନ ରହିଯିବା ଭଳି ସ୍ମୃତି ମାଧ୍ୟମରେ, ସିଏସକେର ଯାତ୍ରାର ଆରମ୍ଭରୁ ହିଁ ଏମ୍.ଏସ୍. ଏହାର ମୁଖ୍ୟ ଅଂଶ ହୋଇ ରହିଆସିଛନ୍ତି। ଦଳକୁ ଗୌରବର ଶିଖରରେ ପହଞ୍ଚାଇବା ଠାରୁ ଆରମ୍ଭ କରି 'ସୁପର କିଙ୍ଗ୍ସ୍'ର ପରବର୍ତ୍ତୀ ପିଢ଼ିକୁ ମାର୍ଗଦର୍ଶନ କରାଇବା ପର୍ଯ୍ୟନ୍ତ 'ଥାଲା' ସର୍ବଦା ସିଏସକେ ପରିଚୟର ଏକ ଅଭିନ୍ନ ଅଙ୍ଗ ହୋଇ ରହିବେ । ଆଉ ଚେନ୍ନାଇ ସର୍ବଦା ତାଙ୍କର ନିଜ ଘର ହୋଇ ରହିବ ବୋଲି ଦଳ କହିଛି ।
୨୦୨୦ରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । କିନ୍ତୁ ସେ ଆଇପିଏଲ୍ ମ୍ୟାଚ୍ ଖେଳ ଜାରି ରଖିଥିଲେ । ଚେନ୍ନାଇ ସହିତ ଧୋନୀଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ । ଆଇପିଏଲ୍ ଆରମ୍ଭରୁ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି । ସିଏସକେ ମୋଟ ୫ଟି ଆଇପିଏଲ୍ ଟ୍ରଫି ହାସଲ କରିଛି । ୨୦୦୮ରୁ ୨୦୨୫ ମଧ୍ୟରେ ଦଳ ୨୪୪ଟି ମ୍ୟାଚ୍ ଖେଳିଛି । ଯେଉଁଥିରେ ୧୪୫ଟି ମ୍ୟାଚରେ ଦଳ ବିଜୟ ହାସଲ କରିଛି ।