ଅଣ୍ଡର-୧୯ ଏସିଆ କପ୍ କ୍ରିକେଟରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ପାକିସ୍ତାନକୁ ଗୋଟିଏ ୱିକେଟରେ ପରାସ୍ତ କରି ନବମ ଥର ପାଇଁ ଅଣ୍ଡର-୧୯ ଏସିଆ କପ୍ ଚାମ୍ପିଅନ୍ ହୋଇଛି ଭାରତ।ପାକିସ୍ତାନ ଦେଇଥିବା ୩୩୮ ରନ୍ ର ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ଜିତିଛି ।
ଓମାନର ଅଲ୍ ଆମେରାଟ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୭ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ ଉସମାନ ଖାନ୍ ୧୦୭ ରନ୍ର ଶତକୀୟ ଇନିଂସ ଖେଳିଥିବା ବେଳେ ଅବଦୁଲ କାଦିର ୮୦ ଏବଂ ଅଧିନାୟକ ଫରହାନ ୟୁସୁଫ ୬୩ ରନ୍ କରିଥିଲେ। ଭାରତ ପାଇଁ କାଭ୍ୟା ପଟେଲ ୪ଟି ଏବଂ ଚିଗୁରୁପତି ଭେଙ୍କଟା ୩ଟି ୱିକେଟ୍ ନେଇଥିଲେ।
୩୩୮ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ମ୍ୟାଚ ପ୍ରାରମ୍ଭ ରୁ ଭଲ ହୋଇଥିଲେ ମଧ୍ୟ ମଝି ଓଭରରେ ଲଗାତାର ୱିକେଟ୍ ପତନ ଯୋଗୁଁ ଦଳ ଚାପରେ ପଡ଼ିଥିଲା। ଆର୍ଯ୍ୟବୀର ସେହୱାଗ ୫୮ ରନ୍ କରିଥିବା ବେଳେ ଅଧିନାୟକ ଲକ୍ଷ୍ୟ ରାଇଚନ୍ଦାନୀ ୮୦ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତଥାପି ମ୍ୟାଚ୍ର ଶେଷ ଭାଗରେ ଭାରତର ସ୍ଥିତି ଚିନ୍ତାଜନକ ଥିଲା ।
ଏଭଳି ସଙ୍କଟ ସମୟରେ ମନଲ ଚୌହାନ ଓ ମୋହିତ ଉଲ୍ୱାଙ୍କ ଲଢ଼ୁଆ ପ୍ରଦର୍ଶନ ଭାରତ ପାଇଁ ନିର୍ଣ୍ଣାୟକ ହୋଇଥିଲା। ବିଶେଷକରି ମୋହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୬ ବଲ୍ରୁ ୪୯ ରନ୍ କରିଥିଲେ। ଶେଷ ୱିକେଟ୍ରେ ଚିଗୁରୁପତି ଭେଙ୍କଟାଙ୍କ ସହ ମିଶି ମୋହିତ ଭାରତକୁ ସହଜ ବିଜୟ ଲକ୍ଷ୍ୟ ପାର କରାଇଥିଲେ। ଜିତିବା ପାଇଁ ଶେଷ ବଲ୍ରେ ୪ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଉଲ୍ଭା ଚୌକା ମାରି ଭାରତକୁ ବିଜୟ ଭେଟି ଦେଇଥିଲେ । ୪୯.୬ ଓଭରରେ ୯ ୱିକେଟ୍ ହରାଇ ୩୩୯ ରନ୍ କରି ଭାରତ ଗୋଟିଏ ୱିକେଟ୍ରେ ମ୍ୟାଚ୍ ଜିତିଥିଲା।