ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ନିଜ ପସନ୍ଦର ବର୍ତ୍ତମାନର ODI ୱାର୍ଲ୍ଡ ଇଲେଭେନ ଚୟନ କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଏହି ଟିମ୍ରେ ଭାରତର ତିନି ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବାଦ୍ ଦିଆଯାଇଛି। ଏହି ଚୟନ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ନୂଆ ଆଲୋଚନା ଆରମ୍ଭ କରିଛି।
କ୍ରିକେଟ୍ ବିଶ୍ଳେଷଣ ସମୟରେ ପଠାନ ନିଜର ଏହି ଏକାଦଶ ବିଷୟରେ ମତ ରଖିଛନ୍ତି। ତାଙ୍କ ଟିମ୍ରେ ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରୁ ଦୁଇ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ଏହାସହ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜରୁ ଜଣେ ଲେଖାଏଁ ଖେଳାଳିଙ୍କୁ ସୁଯୋଗ ମିଳିଛି।
ରୋହିତଙ୍କ ସହ ଓପନିଂ କରିବେ ଶେ ହୋପ୍
ଇରଫାନ ପଠାନ ନିଜ ଏକାଦଶର ଓପନିଂ ଦାୟିତ୍ୱ ଭାରତର ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ଏବଂ ୱେଷ୍ଟଇଣ୍ଡିଜ ଅଧିନାୟକ ଶେ ହୋପ୍ଙ୍କୁ ଦେଇଛନ୍ତି। ତୃତୀୟ ସ୍ଥାନରେ ବିରାଟ କୋହଲିଙ୍କୁ ରଖିଛନ୍ତି। ଏହାପରେ ଚତୁର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡର ଡାରିଲ ମିଚେଲଙ୍କୁ ବାଛିଛନ୍ତି। ପଞ୍ଚମ ସ୍ଥାନରେ ଭାରତର ୱିକେଟକିପର ବ୍ୟାଟର କେଏଲ୍ ରାହୁଲଙ୍କୁ ରଖାଯାଇଛି। ଷଷ୍ଠ ସ୍ଥାନରେ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଗ୍ଲେନ୍ ଫିଲିପ୍ସଙ୍କୁ ସାମିଲ କରିଛନ୍ତି।
ବୋଲିଂ ବିଭାଗରେ ରାଶିଦ, କମିନ୍ସ ଓ ରବାଡା
ବୋଲିଂ ବିଭାଗରେ ଆଫଗାନିସ୍ତାନର ଷ୍ଟାର ସ୍ପିନର ରାଶିଦ ଖାନଙ୍କୁ ସପ୍ତମ ସ୍ଥାନରେ ରଖିଛନ୍ତି ପଠାନ। ଅଷ୍ଟମ ସ୍ଥାନରେ ଅଷ୍ଟ୍ରେଲିଆର ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କୁ ସୁଯୋଗ ଦେଇଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ଦୁଇ ଅଭିଜ୍ଞ ବୋଲର କାଗିସୋ ରବାଡା ଓ କେଶବ ମହାରାଜଙ୍କୁ ମଧ୍ୟ ଟିମ୍ରେ ସ୍ଥାନ ମିଳିଛି। ଏକାଦଶ ଖେଳାଳି ଭାବେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହାଜେଲଉଡ୍ଙ୍କୁ ବାଛିଛନ୍ତି ସେ।
ଇରଫାନ ପଠାନଙ୍କ ପସନ୍ଦର ODI ୱାର୍ଲ୍ଡ ଇଲେଭେନ
ରୋହିତ ଶର୍ମା(ଭାରତ), ଶେ ହୋପ୍ (ୱେଷ୍ଟଇଣ୍ଡିଜ), ବିରାଟ କୋହଲି(ଭାରତ), ଡାରିଲ ମିଚେଲ (ନ୍ୟୁଜିଲାଣ୍ଡ), କେଏଲ୍ ରାହୁଲ (ୱିକେଟକିପର)(ଭାରତ), ଗ୍ଲେନ୍ ଫିଲିପ୍ସ (ନ୍ୟୁଜିଲାଣ୍ଡ), ରାଶିଦ ଖାନ(ଆଫଗାନିସ୍ତାନ), ପ୍ୟାଟ୍ କମିନ୍ସ (ଅଷ୍ଟ୍ରେଲିଆ), କାଗିସୋ ରବାଡା(ଦକ୍ଷିଣ ଆଫ୍ରିକା), କେଶବ ମହାରାଜ(ଦକ୍ଷିଣ ଆଫ୍ରିକା),
ଜୋଶ ହାଜେଲଉଡ୍(ଅଷ୍ଟ୍ରେଲିଆ)
ତେବେ ଏହି ଏକାଦଶରେ ଶୁଭମନ ଗିଲ୍ ଓ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି। ଉଭୟ ଭାରତୀୟ ଖେଳାଳି ବର୍ତ୍ତମାନର କ୍ରିକେଟ୍ରେ ନିଜ ଦକ୍ଷତା ପାଇଁ ପରିଚିତ। ତଥାପି ପଠାନ ନିଜ ପସନ୍ଦର ଟିମ୍ରେ ଅନ୍ୟ ଖେଳାଳିଙ୍କୁ ଅଗ୍ରାଧିକାର ଦେଇଛନ୍ତି।