ନୂଆଦିଲ୍ଲୀ: ୟୁରୋପରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଟାର୍ଗେଟ କରି ବୋମା ବିସ୍ଫୋରଣ ଧମକ ମିଳିବା ପରେ ଚିନ୍ତା ବଢ଼ିଛି। ଇଟାଲୀର ପ୍ରାୟ ୬,୩୦୦ ସ୍କୁଲକୁ ଇମେଲ୍ ଜରିଆରେ ବୋମା ଧମକ ମିଳିଥିବା ବେଳେ ଏହାର ପ୍ରଭାବ ବ୍ରିଟେନ ଓ ଆୟରଲାଣ୍ଡର ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଦେଖାଦେଇଛି। ଘଟଣା ପରେ ଇଟାଲୀର ଅନେକ ସ୍କୁଲ ଖାଲି କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଧମକର ଉତ୍ସ ଖୋଜିବା ସହ ତଦନ୍ତ ଜାରି ରଖିଛନ୍ତି।
୩୦୦ରୁ ଅଧିକ ସ୍କୁଲରୁ ଛାତ୍ରଛାତ୍ରୀ ସ୍ଥାନାନ୍ତର
ବୁଧବାର ଇଟାଲୀର ବିଭିନ୍ନ ଅଞ୍ଚଳର ସ୍କୁଲଗୁଡ଼ିକୁ ଏକାଧିକ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ଏହାପରେ ସୁରକ୍ଷା ଦୃଷ୍ଟିରୁ ୩୦୦ରୁ ଅଧିକ ଶିକ୍ଷାନୁଷ୍ଠାନକୁ ଖାଲି କରାଯାଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଇଟାଲୀର ଶିକ୍ଷାମନ୍ତ୍ରୀ ଜୁସେପେ ଭାଲଡିଟାରାଙ୍କ କହିବା ଅନୁସାରେ, ଏହି ଧମକଗୁଡ଼ିକୁ ପ୍ରାଥମିକ ଭାବେ ମିଥ୍ୟା ବୋମା ଧମକ ବୋଲି ଧରାଯାଉଛି। ତେବେ ଏଭଳି ଘଟଣାକୁ ହାଲୁକା ଭାବେ ନିଆଯାଇନାହିଁ। ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି।
ବ୍ରିଟେନ ଓ ଆୟରଲାଣ୍ଡରେ ମଧ୍ୟ ହଇଚଇ
କେବଳ ଇଟାଲୀ ନୁହେଁ, ସ୍କଟଲାଣ୍ଡ, ଉତ୍ତର ଆୟରଲାଣ୍ଡ ଏବଂ ଆୟରଲାଣ୍ଡର କିଛି ଶିକ୍ଷାନୁଷ୍ଠାନକୁ ମଧ୍ୟ ସମାନ ଧରଣର ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଛି। ସ୍କଟଲାଣ୍ଡ ପୋଲିସ ଏହି ଧମକକୁ ମିଥ୍ୟା ବୋଲି ଆକଳନ କରିଛି। ସେଠାକାର ସ୍କୁଲଗୁଡ଼ିକୁ ଖାଲି କରିବା ଆବଶ୍ୟକ ନାହିଁ ବୋଲି ପୋଲିସ କହିଛି। ଉତ୍ତର ଆୟରଲାଣ୍ଡ ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି। ଆୟରଲାଣ୍ଡ ପୋଲିସ ଶିକ୍ଷାନୁଷ୍ଠାନଗୁଡ଼ିକୁ ମିଳିଥିବା ବାର୍ତ୍ତା ସମ୍ପର୍କରେ ଅବଗତ ଥିବା କହିବା ସହ ଏହାକୁ ବିଶ୍ୱସନୀୟ ଧମକ ଭାବେ ଗ୍ରହଣ କରାଯାଇନଥିବା ସ୍ପଷ୍ଟ କରିଛି।
ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ମଧ୍ୟ ଧମକ
ଏହି ଧମକପୂର୍ଣ୍ଣ ଇମେଲ୍ରେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହାକୁ ନେଇ କୌଣସି ପ୍ରକୃତ ବିପଦ ଥିବାର ସଙ୍କେତ ମିଳିନାହିଁ ବୋଲି ମେଲୋନି କହିଛନ୍ତି। ଏଭଳି ଧମକର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିବା ବୋଲି ସେ ମତ ଦେଇଛନ୍ତି। ଘଟଣାର ଗମ୍ଭୀରତାକୁ ଦେଖି ସେ ସୁରକ୍ଷା ଓ ଗୁଇନ୍ଦା ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପାଇଁ ବୈଠକ ଡାକିଛନ୍ତି।