ନୂଆପଡ଼ା : ବିଳମ୍ବିତ ରାତିରେ ଗାଁରେ ପଶି କଲରାପତରିଆ ବାଘ ଜଣଙ୍କ ଘର ଅଗଣାରୁ ପୋଷା କୁକୁରକୁ ଶିକାର କରିଛି। ନୂଆପଡ଼ା ଜିଲ୍ଲା ରେଢ଼ା କେନ୍ଦୁବାହାରା ପଞ୍ଚାୟତର ଭଇଁଷାଦାଦର ଗାଁରେ କଲରାପତରିଆ ବାଘଆତଙ୍କ ଦେଖାଦେଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭଇଁଷାଦାଦର ଗାଁର ଚମନଲାଲ ମିଦ୍ଧାଙ୍କ ପରିବାର ରାତ୍ରିଭୋଜନ ସାରି ଘରେ ଶୋଇଥିଲେ। ଘର ଅଗଣାରେ ଦୁଇଟି ପୋଷା କୁକୁର ଶୋଇଥିଲେ। ଏହି ସମୟରେ ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଗାଁରେ ପ୍ରବେଶ କରି ଚମନଲାଲଙ୍କ ଘର ଅଗଣାକୁ ପଶି ଆସିଥିଲା। ସେଠାରୁ ଗୋଟିଏ ପୋଷା କୁକୁରକୁ ଘର ନିକଟରୁ ଚାଷଜମି ଆଡ଼କୁ ଟେକି ନେଇଥିଲା। କୁକୁରର ଚିତ୍କାର ଶୁଣି ପରିବାର ଲୋକେ ଘରୁ ବାହାରି ଆସି ବାଘକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଘଟି ବୁଦାମୂଳରେ କୁକୁରକୁ ମାରି ଖାଇବା ପରେ ଜଙ୍ଗଲକୁ ଚାଲିଯାଇଥିଲା।
ଆଜି ସକାଳେ ପରିବାର ଲୋକେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁକୁରର ମୃତଦେହ ଜବତ କରିବା ସହ ବାଘର ପାଦଚିହ୍ନ ଠାବ କରିଥିଲେ। ଏହି ଘଟଣା ପରେ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ବାଘ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଏହା ପୂର୍ବରୁ ମଧ୍ୟ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଯଥା ଝିଟିକି ଗାଁରେ ବାଘ ପଶି ଆକ୍ରମଣ କରିବା ଏବଂ ରାସ୍ତାକଡ଼ରେ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହୋଇଥିଲା।