ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ଏବଂ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ନୂଆ ରଣନୀତି ଆପଣାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରସ୍ତାବିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହେଲେ ଦେଶର ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ରୁ ବଢ଼ି ସର୍ବାଧିକ ୮୫୦ ହୋଇପାରେ। ଏହା ସହ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ବାଟ ମଧ୍ୟ ଖୋଲିବ।
ପିଟିଆଇ ରିପୋର୍ଟ ଅନୁସାରେ, ଏହି ବିଲ୍ ପାରିତ କରିବା ପାଇଁ ଆବଶ୍ୟକ ସମର୍ଥନ ଯୋଗାଡ଼ ହୋଇଥିବା ନେଇ ସରକାର ଆଶାବାଦୀ ଅଛନ୍ତି। ଭୋଟିଂରେ ୧୫ରୁ ୧୮ଟି ଭୋଟ୍ ବ୍ୟବଧାନରେ ବିଲ୍ ବିଜୟୀ ହୋଇପାରେ ବୋଲି ସରକାରୀ ସୂତ୍ରରୁ ଆଶା ପ୍ରକାଶ କରାଯାଇଛି। ତେବେ ସ୍ୱତନ୍ତ୍ର ଅଧିବେଶନ କେବେ ବସିବ ଏବଂ କେତେ ଦିନ ଚାଲିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ବିଲ୍ ପାରିତ ପାଇଁ ଦରକାର ୩୬୧ ଭୋଟ୍
ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ ସଂସଦରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନର ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏଥିପାଇଁ ୩୬୧ଟି ଭୋଟ୍ ଦରକାର। ଏହି ସଂଖ୍ୟା ହାସଲ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି।
ଏହା ପୂର୍ବରୁ ଏପ୍ରିଲ ୧୭ ତାରିଖରେ ବଜେଟ୍ ଅଧିବେଶନ ସମୟରେ ମଧ୍ୟ ସରକାର ଏହି ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଆବଶ୍ୟକ ସମର୍ଥନ ନ ମିଳିବାରୁ ବିଲ୍ ପାରିତ ହୋଇପାରିନଥିଲା। ଏବେ ପୁଣିଥରେ ସ୍ୱତନ୍ତ୍ର ଅଧିବେଶନ ଜରିଆରେ ଏହାକୁ ପାରିତ କରାଇବାକୁ ସରକାର ଉଦ୍ୟମ କରୁଥିବା କୁହାଯାଉଛି।
କାହିଁକି ଏବେ ସହଜରେ ଡକାଯାଇପାରେ ସଂସଦ ଅଧିବେଶନ?
ସଂସଦର ଅଧିବେଶନ ଡାକିବା ନେଇ ଏବେ ଏକ ବିଶେଷ ପରିସ୍ଥିତି ରହିଛି। ଗତ ଅଗଷ୍ଟ ୧୩ ତାରିଖରେ ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହାର ଆନୁଷ୍ଠାନିକ ସମାପ୍ତି ବା ସତ୍ରାବସାନ ହୋଇନାହିଁ।
ଏହି କାରଣରୁ ଅଳ୍ପ ସମୟ ମଧ୍ୟରେ ସଂସଦର ବୈଠକ ଡାକିବାର ସୁଯୋଗ ରହିଛି। ଏକ ଚାଲୁଥିବା ଅଧିବେଶନରେ ପୁନର୍ବାର ବୈଠକ ବସାଇବା ପାଇଁ ଅତି କମ୍ରେ ଦୁଇ ଦିନର ନୋଟିସ୍ ଆବଶ୍ୟକ। ଅନ୍ୟପକ୍ଷରେ, ନୂଆ ଅଧିବେଶନ ଡାକିବାକୁ ହେଲେ ୧୪ ଦିନର ନୋଟିସ୍ ଦେବାକୁ ପଡ଼ିଥାଏ।
ସୂଚନା ଅନୁସାରେ, ମୌସୁମୀ ଅଧିବେଶନକୁ ସତ୍ରାବସାନ ନ କରି ସ୍ଥଗିତ ରଖିବା ନିଷ୍ପତ୍ତି ପଛରେ ସରକାରଙ୍କ କିଛି ବିଶେଷ ଯୋଜନା ଥିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା। ଏପରିକି ସଂସଦର ଅଧିବେଶନ ବିନା ସତ୍ରାବସାନରେ ୯୧ ଦିନ ଧରି ଚାଲିଛି, ଯାହା ୨୦୦୮ରେ ସୃଷ୍ଟି ହୋଇଥିବା ୮୭ ଦିନର ପୁରୁଣା ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି।