ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବ ଏବଂ ମାୟାବତୀଙ୍କୁ ଏକ ଶକ୍ତ ଝଟକା ଲାଗିଛି । ୨୦୨୭ ନିର୍ବାଚନ ପୂର୍ବରୁ ରାଜ୍ୟରେ ପୁଣି ଏକ ରାଜନୈତିକ ମେଣ୍ଟ ଗଢ଼ି ଉଠିଛି । ଗୁରୁବାର ଲକ୍ଷ୍ନୌଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଚନ୍ଦ୍ର ଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟୀ ଏବଂ ଅସଦୁଦ୍ଦୀନ ଓବୈସୀଙ୍କୁ ଏଆଇଏମଆଇଏମ୍ ପାର୍ଟୀ ମେଣ୍ଟ ଘୋଷଣା କରିଛନ୍ତି । ଏହି ନୂତନ ମେଣ୍ଟକୁ ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା (ଏସପିଏମ୍) ନାମରେ ନାମିତ କରାଯାଇଛି । ଏହି ମେଣ୍ଟ ଆସନ୍ତା ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା ହୋଇଛି ।
ଚନ୍ଦ୍ର ଶେଖର ଏହାକୁ ରାଜ୍ୟର ପ୍ରଥମ ମୋର୍ଚ୍ଚା ବୋଲି କହିଛନ୍ତି । ଏହି ମେଣ୍ଟରେ ଦଳିତ, ପୀଡ଼ିତ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁଯୋଗ ଦିଆଯିବ, ଆଉ ଯେତେ ସଂଖ୍ୟାରେ ଏମାନେ ଯୋଡ଼ି ହେବେ ଦଳ ଆଗକୁ ସେତେ ମଜବୁତ ହେବ ।
ଚନ୍ଦ୍ରଶେଖର ଆଜାଦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଖାଲି ସେତିକି ନୁହେଁ ଓବୈସୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ ଚନ୍ଦ୍ର ଶେଖର ଆଜାଦଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଅର୍ଥାତ ଏସପିଏମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଚନ୍ଦ୍ର ଶେଖର ଆଜାଦ । ଏହା ଉତ୍ତର ପ୍ରଦେଶର 3ୟ ଥର କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବା ବିଜେପିକୁ ରୋକିବାକୁ ବଡ଼ ବିକଳ୍ପ ସାବ୍ୟସ୍ତ ହେବ ବୋଲି ଓବୈସୀ ଦୃଢ଼ ବିଶ୍ୱାସର ସହିତ କହିଛନ୍ତି ।
ସମସ୍ତ ଆସନରେ ଲଢ଼ିବ ମେଣ୍ଟ
ଓବୈସୀ ଘୋଷଣା କରିଛନ୍ତି ଯେ ଦଳ ରାଜ୍ୟରେ ସମସ୍ତ 403ଟି ଆସନରେ ନିର୍ବାଚନ ଲଢ଼ିବ । ଏହି ଘୋଷଣା ପରେ ଉତ୍ତର ପ୍ରଦେଶ ରାଜନୀତିରେ ବଡ଼ ହଲଚଲ ସୃଷ୍ଟି ହୋଇଛି । ଏହା ଅଖିଳେଶ ଯାଦବ ଏବଂ ମାୟାବତୀଙ୍କ ଖେଳ ବିଗାଡ଼ିବାରେ ଯଥେଷ୍ଟ ସମ୍ଭାବନା ଥିବା ଆଶଙ୍କା କରାଯାଉଛି ।
ଅଖିଳେଶ ଓ ମାୟାବତୀଙ୍କ ରାସ୍ତାରେ କଣ୍ଟା
ଉତ୍ତର ପ୍ରଦେଶରେ ଦଳିତ ଏବଂ ମୁସଲିମ୍ ମତଦାତାଙ୍କ ସଂଖ୍ୟା ମୋଟ ମତଦାତାର ୪୦ ପ୍ରତିଶତ ଅଟେ । ଏହା ସହିତ ରାଜ୍ୟରେ ଦଳିତ ଏବଂ ମୁସଲିମ୍ ସମୀକରଣରେ ପ୍ରାୟ ୨୦୦ ଆସନ ରହିଛି । ୧୪୩ଟି ଆସନକୁ ମୁସଲିମ ବହୁଳ ଏବଂ ୧୦୦ଟି ଆସନକୁ ଦଳିତ ବହୁଳ ଆସନ ଭାବରେ ବିବେଚନା କରାଯାଏ । ଯେଉଁଥିରେ ୮୫ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ତେଣୁ ଏସପିଏମ୍ ମେଣ୍ଟର ଫୋକସ୍ ଏହି ଆସନ ଉପରେ ବିଶେଷ ଭାବରେ ରହିବ ।
ଚନ୍ଦ୍ରଶେଖର ଆଜାଦ ଏବଂ ମାୟାବତୀ ଗୋଟିଏ ଅଞ୍ଚଳ ଏବଂ ସମ୍ପ୍ରଦାୟରୁ ଆସିଛନ୍ତି। ଉଭୟ ପଶ୍ଚିମ ଉତ୍ତର ପ୍ରଦେଶର ଏବଂ ଜାଟଭ ସମ୍ପ୍ରଦାୟର। ଉଭୟଙ୍କ ରାଜନୈତିକ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ଦଳିତ ଭୋଟ ଉପରେ ନିର୍ଭରଶୀଳ। ତେଣୁ ଏଠାରେ ପୁଣି ଏକ ବଡ଼ ରାଜନୈତିକ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ପରୋକ୍ଷରେ ବିଜେପିକୁ ଲାଭ
ରାଜନୈତିକ ବିଶ୍ଳେଷକମାନେ ଆଶଙ୍କା ପ୍ରକାଶ କରୁଛନ୍ତି ଯେ ଓବୈସୀ ଏବଂ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଏହି ମେଣ୍ଟ ଉତ୍ତର ପ୍ରଦେଶରେ ଦ୍ୱିପାକ୍ଷିକ ପ୍ରତିଯୋଗିତାକୁ ତ୍ରିକୋଣୀୟରେ ପରିଣତ କରିବାର ଏକ ପ୍ରୟାସ। ଯଦିଓ "ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା" ନିଜ ଦମରେ ଆସନ ଜିତି ନପାରେ, ତଥାପି ଏହା ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ପୂର୍ବାଞ୍ଚଳରେ ମାୟାବତୀଙ୍କ ରାଜନୈତିକ ଉପସ୍ଥିତିକୁ ଆହୁରି ଦୁର୍ବଳ କରିବ ଏବଂ ଏସପିର ମୁସଲିମ ଏବଂ ଦଳିତ ଭୋଟକୁ କମ୍ କରିବା ସହିତ ପରୋକ୍ଷ ଭାବରେ ବିଜେପି ପାଇଁ ପଥ ସହଜ କରିପାରିବ। ଯଦି ଓବୈସୀ-ଚନ୍ଦ୍ରଶେଖର ମେଣ୍ଟ ୨୦୨୭ ମସିହାରେ ଉତ୍ତର ପ୍ରଦେଶରେ ୫ ରୁ ୬ ପ୍ରତିଶତ ଭୋଟ୍ ହାସଲ କରିବାରେ ସଫଳ ହୁଏ, ତେବେ ଏହା ସିଧାସଳଖ ମାୟାବତୀଙ୍କ ଦଳିତ ଭୋଟ୍ ବ୍ୟାଙ୍କ ଏବଂ ଅଖିଳେଶ ଯାଦବଙ୍କ ପିଡିଏ ମେଣ୍ଟକୁ କ୍ଷତି ପହଞ୍ଚାଇପାରେ। ତେଣୁ, ସେମାନେ ଉତ୍ତର ପ୍ରଦେଶରେ କି ଯାଦୁ ହାସଲ କରିପାରିବେ ତାହା ଦେଖିବା ବାକି ରହିଲା।