ଡେବ୍ରିଗଡ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ରୋକିବାକୁ ବନ ବିଭାଗ ଓ ବରଗଡ଼ ଜିଲ୍ଲା ପୋଲିସର ମିଳିତ ଚଢ଼ାଉ। ନଭେମ୍ବର ୧୦ ଓ ୧୧ ତାରିଖରେ ଅଭୟାରଣ୍ୟ ସଂଲଗ୍ନ ପାଞ୍ଚଟି ଗାଁରେ ଚାଲିଥିଲା ବ୍ୟାପକ ଚଢ଼ାଉ ଓ ତଲାସୀ ଅଭିଯାନ।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରାୟ ୭୦ ଜଣ ବନ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କୁ ନେଇ ଏହି ମିଳିତ ଅଭିଯାନ କରାଯାଇଥିଲା।
ଏହି ଚଢ଼ାଉ ସମୟରେ ଦୁଇ ଜଣ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ରାଉତପଡ଼ା ଗାଁର ପ୍ରାୟ ୪୦ ବର୍ଷୀୟ ଘନଶ୍ୟାମ ମିର୍ଦ୍ଧା ଏବଂ ୪୮ ବର୍ଷୀୟ ସୁପ୍ରସାଦ ସୁଇ।
ଚଢ଼ାଉ ସମୟରେ ବନ ବିଭାଗ ବହୁ ପରିମାଣରେ ଶିକାର ସାମଗ୍ରୀ ଜବତ କରିଛି। ଏଥିରେ ରହିଛି ପଶୁ ଧରିବା ପାଇଁ ବ୍ୟବହୃତ ଫାଶ, ଜାଲ, ୩ କିଲୋଗ୍ରାମ ବିଦ୍ୟୁତ୍ ହୁକିଂ ତାର, ୨ କିଲୋଗ୍ରାମ କେବୁଲ୍ ତାର ଏବଂ ଦୁଇ ବଣ୍ଡଲ୍ ପଶୁ ଧରିବା ଜାଲ।
ଗିରଫ ଶିକାରୀ ମାନେ ଚିତାବାଘ ଶିକାର ପାଇଁ ଯୋଜନା କରିଥିବା ଏବଂ ଅଭୟାରଣ୍ୟ ଭିତରେ ଫାଶ ବିଛାଇଥିବା ସନ୍ଦେହ କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଅଭିଯାନରେ ତଲାସୀ ହୋଇଥିବା ପାଞ୍ଚଟି ଗାଁର ନାମ ଗୋପନ ରଖାଯାଇଛି।
ଗିରଫ ଦୁଇ ଅଭିଯୁକ୍ତଙ୍କୁ ଡେବ୍ରିଗଡ଼ ବନ ବିଭାଗର ଲଖନପୁର ରେଞ୍ଜ ପକ୍ଷରୁ ନଭେମ୍ବର ୧୧ ତାରିଖରେ କୋର୍ଟକୁ ପଠାଯାଇଛି।
ଅନ୍ୟପଟେ, ବନ୍ୟଜନ୍ତୁ ଶିକାର ସମ୍ପର୍କରେ ବିଶ୍ୱସନୀୟ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୧ ହଜାର ଟଙ୍କା ପୁରସ୍କାର ଦେବାକୁ ଡେବ୍ରିଗଡ଼ ବନ ବିଭାଗ ଘୋଷଣା କରିଛି।
ଏହାସହ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ମେଟାଲ୍ ଡିଟେକ୍ଟର ଓ ଲାଇଭ୍ ଓୟାର୍ ଡିଟେକ୍ଟର ସହାୟତାରେ ମଧ୍ୟ ଯାଞ୍ଚ କରାଯାଉଛି।