ନୂଆଦିଲ୍ଲୀ: ଦେଶର ସ୍ୱଚ୍ଛ ସହର ତାଲିକାରେ ଏଥର ବଡ଼ ଧରଣର ପରିବର୍ତ୍ତନ ଆସିଛି। ଦୀର୍ଘ ୮ ବର୍ଷ ଧରି ସ୍ୱଚ୍ଛତା ରାଙ୍କିଂରେ ଶୀର୍ଷ ସ୍ଥାନ ଦଖଲ କରିଆସୁଥିବା ମଧ୍ୟପ୍ରଦେଶର ଇନ୍ଦୋର ଏଥର ପଛରେ ପଡ଼ିଥିବା ବେଳେ ମହାରାଷ୍ଟ୍ରର ନଭି ମୁମ୍ବାଇ ଦେଶର ସବୁଠୁ ସ୍ୱଚ୍ଛ ସହର ମାନ୍ୟତା ହାସଲ କରିଛି। ଅନ୍ୟପଟେ ଓଡ଼ିଶା ପାଇଁ ଗର୍ବର ବିଷୟ ହେଉଛି, ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।
କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ସର୍ଭେକ୍ଷଣରେ ନଭି ମୁମ୍ବାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗୁଜରାଟର ସୁରଟ ଦ୍ୱିତୀୟ ଏବଂ ଆନ୍ଧ୍ରପ୍ରଦେଶର ବିଜୟୱାଡା ତୃତୀୟ ସ୍ଥାନ ହାସଲ କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ଭେକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସହରଗୁଡ଼ିକୁ ସମ୍ମାନିତ କରିଛନ୍ତି।
ଉପକୂଳ ସହର ବର୍ଗରେ ପୁରୀର ଶ୍ରେଷ୍ଠ ପ୍ରଦର୍ଶନ
ସ୍ୱଚ୍ଛ ଉପକୂଳ ସହର ବର୍ଗରେ ଓଡ଼ିଶାର ପୁରୀ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି। ଏହି ବର୍ଗରେ କେରଳର ଅଲପ୍ପୁଝା ଦ୍ୱିତୀୟ ଏବଂ ମହାରାଷ୍ଟ୍ରର ରତ୍ନଗିରି ତୃତୀୟ ସ୍ଥାନରେ ରହିଛି। ଧାର୍ମିକ ଓ ପର୍ଯ୍ୟଟନ ସହର ଭାବେ ପରିଚିତ ପୁରୀର ଏହି ସଫଳତା ସହରର ସ୍ୱଚ୍ଛତା ପରିଚାଳନାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ସେହିପରି ସ୍ୱଚ୍ଛ ରିଭରଫ୍ରଣ୍ଟ ଟାଉନ ବର୍ଗରେ ମଧ୍ୟପ୍ରଦେଶର ରିଭା ପ୍ରଥମ ହୋଇଥିବା ବେଳେ ଛତିଶଗଡ଼ର ବିଳାସପୁର ଦ୍ୱିତୀୟ ଓ ଉତ୍ତରପ୍ରଦେଶର ବାରଣାସୀ ତୃତୀୟ ସ୍ଥାନ ହାସଲ କରିଛି।
ଜନସଂଖ୍ୟା ଅନୁସାରେ ବଦଳିଲା ଶ୍ରେଷ୍ଠ ସହରଙ୍କ ତାଲିକା
୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ବର୍ଗରେ ଗ୍ରେଟର ବିଶାଖାପାଟଣା ସ୍ୱଚ୍ଛତା ରାଙ୍କିଂରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ବର୍ଗରେ ମଧ୍ୟପ୍ରଦେଶର ଜବଲପୁର ଦ୍ୱିତୀୟ ଓ ଉତ୍ତରପ୍ରଦେଶର ଲକ୍ଷ୍ନୌ ତୃତୀୟ ସ୍ଥାନରେ ରହିଛି। ସେହିପରି ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ମଧ୍ୟପ୍ରଦେଶର ଉଜ୍ଜୈନ ପ୍ରଥମ ହୋଇଛି। ଚଣ୍ଡିଗଡ଼ ଦ୍ୱିତୀୟ ଏବଂ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ତୃତୀୟ ସ୍ଥାନ ଅଧିକାର କରିଛି।